ଓଡିଶା

odisha

ETV Bharat / state

ସ୍ବାଧୀନ ଭାରତରେ ପରାଧୀନ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ !

ଇଂରେଜ ମାନଙ୍କ କବଳରୁ ସ୍ବାଧୀନ ହୋଇ ଦେଶ ପାଳିଛି 73ତମ ସ୍ବାଧୀନତା ଦିବସ । ଗୋଟିଏ ପଟେ ଦେଶବାସୀ ସ୍ବାଧୀନତାକୁ ନେଇ ଖୁସି ମନାଉଥିବା ବେଳେ ଅନ୍ୟପଟେ ଏବେ ବି ପରାଧୀନ ଜାତିର ପିତାଙ୍କ ସମ୍ମାନ ।

By

Published : Aug 20, 2019, 8:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଇଂରେଜମାନଙ୍କ କବଳରୁ ସ୍ବାଧୀନ ହୋଇ ଜେଶ ପାଳିଛି 73ତମ ସ୍ବାଧୀନତା ଦିବସ । ଗୋଟିଏ ପଟେ ଦେଶବାସୀ ସ୍ବାଧୀନତାକୁ ନେଇ ଖୁସି ମନାଉଥିବା ବେଳେ ଅନ୍ୟପଟେ ଏବେ ବି ପରାଧୀନ ଜାତିର ପିତାଙ୍କ ସମ୍ମାନ । ଶ୍ରାଦ୍ଧବାର୍ଷିକୀ ଆସିଲେ ମନେ ପଡନ୍ତି ବାପୁଜୀ । ଆଉ ଅନ୍ୟ ଦିନେ ତାଙ୍କରି ପ୍ରତିମୂର୍ତ୍ତୀ ସାମ୍ନାରେ ଚାଲେ ଅସାମାଜିକ କାର୍ଯ୍ୟକଳାପ । ଏ ଦୃଶ୍ୟ ହେଉଛି ଡେରାବିଶ୍‌ ବ୍ଲକ ବାରିମୂଳ ପଞ୍ଚାୟତସ୍ଥିତ ଗାନ୍ଧୀ ପଡିଆର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କିମ୍ବଦନ୍ତୀ କୁହେ 1932 ମସିହା ମେ ମାସରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଏହି ପଡିଆରେ ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା । ଯେଉଁଥିରେ ସ୍ବାଧୀନ ଭାରତର ପରିକଳ୍ପନା କରି ଦେଶରୁ ବିଦେଶୀମାନଙ୍କୁ ହଟାଇବା ପାଇଁ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ ବାପୁଜୀ । ସେହି ରାତିରେ ବାପୁଜୀ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାତ୍ରିଯାପନ କରିବା ସହ ଲାଉ ଡାଲମା ଖାଇଥିଲେ ।

ସେବେଠାରୁ ପ୍ରତିବର୍ଷ ତାଙ୍କ ସ୍ମୃତିରେ ଗୋବରୀ ନଦୀ କୂଳରେ ସ୍ଥାପନ ହୋଇଥିବା ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଚଢାଇବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି । କିନ୍ତୁ ବାକି ସବୁ ଦିନରେ ସମ୍ମାନ ଟିକକ ପାଇଁ ଯେମିତି ଝୁରି ଯାଆନ୍ତି ବାପୁଜୀ । ଅନ୍ୟପଟେ ବାପୁଜୀ ରାତ୍ରି ଯାପନ କରିଥିବା ସ୍କୁଲର ଅବସ୍ଥା ମଧ୍ୟ କହିଲେ ନ ସରେ । ତେବେ ପ୍ରଶ୍ନ ଉଠୁଛି ପୂଜ୍ୟ ପୂଜାକୁ ଏପରି ଅସମ୍ମାନୀତ କରିବା କେତେ ଦୂର ଠିକ୍‌ ?

ଗୋଟିଏ ପଟେ ଗୋବରୀ ନଦୀର ପାଣି କୂଳ ଖାଇ ମୂର୍ତ୍ତୀଟିର ସ୍ଥାପନ ସ୍ଥଳୀକୁ ନଦୀ ଗର୍ଭରେ ଲୀନ କରିବାକୁ ବସିଥିବା ବେଳେ ଅନ୍ୟପଟେ ବାପୁଜୀଙ୍କ ମୂର୍ତ୍ତୀ ମଧ୍ୟ ଅସୁରକ୍ଷିତ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯେଉଁ ମୂର୍ତ୍ତୀକୁ ଲୋକେ ସମ୍ମାନ ଦେବା କଥା ସେଠାରେ ଜମୁଛି ଅସାମାଜିକ ଲୋକଙ୍କ ଭିଡ ।

ଏନେଇ ଇଟିଭି ଭାରତ ଟିମ୍‌ର ଗ୍ରାଉଣ୍ଡ ରିପୋର୍ଟ ପାଇ ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ତାଙ୍କ କହିବା ଅନୁଯାୟୀ ଖୁବ୍‌ଶୀଘ୍ର ଏହି ସ୍ଥାନର କଳେବର ବୃଦ୍ଧି କରାଯାଇ ପ୍ରତିମୂର୍ତ୍ତୀର ରକ୍ଷଣାବେକ୍ଷଣ କରାଯିବ । ଏଥିସହ ସେଠାରେ ଏକ ଲାଇଟ ଲଗାଯାଇ ପୋଲିସ ପେଟ୍ରୋଲିଂର ବ୍ୟବସ୍ଥା ମଧ୍ୟ କରାଯିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details