କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ସବ୍ ରେଜିଷ୍ଟ୍ରାର ଅଫିସର । ନୟାଗଡ ଜିଲ୍ଲା ସବରେଜିଷ୍ଟାର ଭାବେ କାର୍ଯ୍ୟରତ ଶାଶ୍ୱତ ପଟ୍ଟନାୟକଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ଟିମ । କେନ୍ଦ୍ରାପଡା, ନୟାଗଡର ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ । ଭୁବନେଶ୍ବରର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ 8 ଜଣ ଡିଏସପି, 6 ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ବରେ ଓଡିଶା ଭିଜିଲାନ୍ସ ଏହି ରେଡ ଜାରି ରଖିଛି ।
ଭିଜିଲାନ୍ସ ସ୍କାନରରେ ସବ୍ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡରେ ଦେବୋତ୍ତର କଲୋନୀରେ ତାଙ୍କର ଭଡା ଘର, ନୟାଗଡରେ ତାଙ୍କ କାର୍ଯ୍ଯାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ତଳବରଙ୍ଗାଠାରେ ଥିବା ଘର, ତଳଗାଁରେ ଥିବା ପୈତୃକ ଘର ଓ ଦଳନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଥିବା ସୂଚନା ମିଳିଛି ।
ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀ କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପଞ୍ଚାୟତ ତଳଗାଁରେ ସବ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବୁଧବାର ସକାଳ 5ଟାରୁ ଭିଜିଲାନ୍ସ ରେଡ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଘରେ କେବଳ ଶାଶ୍ୱତଙ୍କ ମା' ଲକ୍ଷ୍ମୀପ୍ରିୟା ଥିଲେ । ଭିଜିଲାନ୍ସ ବିଭାଗର ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଛଅ ଜଣିଆ ଟିମ ଆସି ଶାଶ୍ୱତଙ୍କ ଘରେ ପହଞ୍ଚି ସମସ୍ତ ଦସ୍ତାବିଜ ଛାନଭିନ କରିଛନ୍ତି ।