କେନ୍ଦ୍ରାପଡା:କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ସରକାରଙ୍କ ପୁଳାପୁଳା ଯୋଜନା । ସରକାରୀ ଓ ବେସରକାରୀ କ୍ଷେତ୍ରରେ କ୍ରୀଡାବିତଙ୍କୁ ନିଯୁକ୍ତି ମଧ୍ୟ ମିଳୁଛି । ହେଲେ ବାସ୍ତବରେ ସେ ଯୋଜନାର ଲାଭ ପାଇପାରୁନାହାନ୍ତି କ୍ରୀଡାବିତ । ଦିନେ ଫୁଟବଲ ପଡିଆରେ ଭାରତୀୟ ଜାତୀୟ ଦଳରେ ଫୁଟବଲ ଖେଳି (National level women football player) ଓଡ଼ିଶାର ନାଁକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଚାହୁଁଥିବା ଖେଳାଳି ସହ ଆଜି ଭାଗ୍ୟ ଖେଳିଛି ଖେଳ । ଫୁଟବଲ ଫିଲଡ଼ରୁ ଇଟାଭାଟିରେ ଏବେ ଦିନ ମଜୁରିଆ ଭାବରେ ମୁଲ ଲାଗୁଛନ୍ତି ଓଡିଶା ପାଇଁ ଫୁଟବଲ ଖେଳିଥିବା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ମହିଳା ଖେଳାଳି ସୁଜାତା ମଲ୍ଲିକ ।
ଆଳି ଅଞ୍ଚଳର ମିନି ଷ୍ଟାଡିୟମରୁ ଖେଳ ଆରମ୍ଭ କରି ରାଜ୍ୟ ଓ ଦେଶ ପାଇଁ ଫୁଟବଲ ଖେଳିଥିବା ସୁଜାତା ମଲ୍ଲିକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଆଳି ବ୍ଲକ ଦେଓମାଳ ଗାଁର ରାମଚନ୍ଦ୍ର ମଲିକଙ୍କ ଝିଅ ସୁଜାତା । ୧୧ ବର୍ଷ ବୟସରୁ ଫୁଟବଲ ଖେଳ ଆରମ୍ଭ କରିଥିଲେ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ କମ ବୟସରୁ ସୁଜାତାଙ୍କୁ ବିବାହ କରିବାକୁ ପଡିଥିଲା । ୨୦୦୫ ମସିହା ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ଓଡିଶା ସବଜୁନିୟର ଓ ଜୁନିୟର ଦଳ ପକ୍ଷରୁ ଜାତୀୟ ଚାମ୍ପିୟନସିପରେ ପ୍ରତିନିଧିତ୍ବ କରିଛନ୍ତି । ଜିଲ୍ଲା ସ୍ତରରେ ଫୁଟବଲ ଖେଳି ଅନେକ ନାଁ କରିଛନ୍ତି ସେ । କିନ୍ତୁ ଭାଗ୍ୟର ବିଡମ୍ବନା ପାଇଁ ମିଳି ପାରିନାହିଁ କୌଣସି ସରକାରୀ ଓ ବେସରକାରୀ ସହାୟତା । ଯେଉଁଥିପାଇଁ ନିଜର ପରିବାର ପୁଅର ଦେହ ଭଲକରିବା ପାଇଁ ଦୁର୍ଦ୍ଦିନରେ ପଡି ଇଟାଭାଟିରେ କାମ କରିବାକୁ ବାଧ୍ଯ ହୋଇଛନ୍ତି ମହିଳା ଫୁଟବଲ ଖେଳାଳୀ ସୁଜାତା । ଭଲ ଘର ଖଣ୍ଡିଏ ବି ସୁଜାତାଙ୍କ ପାଇଁ ସ୍ବପ୍ନ ହୋଇଛି । ରାତି ପାହିଲେ ସ୍ବାମୀଙ୍କ ସହ କୋଡି କୋଦାଳ ଧରି ବାହାରି ପଡନ୍ତି ସେ ।