କେନ୍ଦ୍ରାପଡା:ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ଗୁହାଳରେ ପଶି ମେଣ୍ଢାଙ୍କ ଜୀବନ ନେଉଛି ଅଜଣା ଜନ୍ତୁ । 35 ଜଣ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମବାସୀ ।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ମେଣ୍ଢା ଚାଷୀ ମହନୀ ଦାସ ନିଜ ଗୁହାଳ ଘରେ ମେଣ୍ଢା ରଖିଥିବା ବେଳେ ଗତ ରାତିରେ କୌଣସି ଅଜଣା ଜନ୍ତୁ ଏହି ମେଣ୍ଢା ମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ୩୫ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି । ମୃତ ମେଣ୍ଢା ମାନଙ୍କର ଗଳା ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଏହି କ୍ଷତ ଚିହ୍ନ ହିଁ ଅଜଣା ଜନ୍ତୁ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରୁଥିବା ବେଳେ ଗାଁର ଅନ୍ୟ ମେଣ୍ଢା ଚାଷୀମାନେ ଏନେଇ ଭୟଭୀତ ରହିଛନ୍ତି ।
ମହନୀ ଦୀର୍ଘଦିନରୁ ମେଣ୍ଢା ପାଳି ନିଜର ପରିବାରର ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ବିଭିନ୍ନ ବେସରକାରୀ ଓ ସରକାରୀ ସୂତ୍ରରୁ ଋଣ ନେଇ ନିଜର ଏହି ଚାଷକୁ ଆଗକୁ ବଢ଼ାଉଥିଲେ । ତେବେ ଗତ ରାତିରେ ଏଭଳି ଘଟଣା ପରେ ଚିନ୍ତାରେ ମହନୀ ଓ ତାଙ୍କ ପରିବାର । ଏନେଇ ପଶୁଧନ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଛି । ବିଶେଷଜ୍ଞ ଟିମ ଆସି ଅନୁସନ୍ଧାନ କରିବା ପାଇଁ ଏହି ମୃତ ମେଣ୍ଢା ମାନଙ୍କୁ ରଖାଯାଇଥିବା ସୂଚନା ମିଳିଛି ।