କେନ୍ଦ୍ରାପଡା: ସାମାଜିକ ଗଣମାଧ୍ୟମରେ ବି-ଟାଉନର ଦବଙ୍ଗ ବୟ ସଲମାନ ଖାନଙ୍କୁ ଲାଇକ ମାଗିବା ଘଟଣାରେ ବାରମ୍ବାର ସମାଲୋଚନାର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । 'RAJA NANDA-THE INDIAN' ନାମକ ଏକ ଫେସବୁକ ପେଜରେ ସାଂସଦ ଅନୁଭବଙ୍କୁ କଟାକ୍ଷ କରାଯାଇଛି । ରାଜ୍ୟ ଓ ଦେଶର ଏଭଳି ସ୍ଥିତିରେ ଜଣେ ରାଜନେତା ହୋଇ ଟ୍ବିଟରରେ ଲାଇକ ମାଗିବା ଶୋଭନୀୟ ନୁହେଁ ବୋଲି କୁହାଯାଇଛି । 6 ମିନିଟ 7 ସେକେଣ୍ଡ ବିଶିଷ୍ଟ ଏହି ଫେସବୁକ ପୋଷ୍ଟରେ ଅନୁଭବଙ୍କୁ ପିଲାଳିଆମୀ ଛାଡିବାକୁ କୁହାଯାଇଥିବା ବେଳେ ସାଢ଼େ 4 କୋଟି ଓଡ଼ିଆଙ୍କ ପ୍ରତିନିଧିତ୍ବ କରୁଥିବା ଜଣେ ଲିଡ଼ର ପକ୍ଷରେ ଏଭଳି ଆଚରଣ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି ।
ସେହିପରି ଚାଇନା ଆପ ଟିକଟକ ବ୍ୟବହାର କରିବାକୁ ଅନୁଭବ ନିଜର ପୂର୍ବ ଟ୍ବିଟରେ କହିଥିବା ବେଳେ ଏନେଇ ଅନୁଭବଙ୍କ ଉପରେ ବର୍ଷିଛନ୍ତି ଏହି ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ । ସାମାଜିକ ଗଣମାଧ୍ୟମରେ ନିଜର ନୃତ୍ୟଗୀତ ଭିଡିଓ ଛାଡୁଥିବା ଅନୁଭବ ଯଦି ଓଡ଼ିଶାରେ କର୍ମ ନିଯୁକ୍ତି ଓ ନୂତନ କଳ କାରଖାନା ସ୍ଥାପନ ସମ୍ପର୍କରେ କିଛି ଭିଡିଓ ଜାରି କରନ୍ତେ ତେବେ ଏହା ଭଲ ହୁଅନ୍ତା ବୋଲି କୁହାଯାଇଛି । ଭିଡ଼ିଓରେ ଥିବା ବ୍ୟକ୍ତି ଜଣଙ୍କ ଅନୁଭବଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଓଡ଼ିଆ ଚଳଚ୍ଚିତ୍ର ଅନ୍ୟ ଭାଷାରୁ କପି ହୋଇ କରାଯାଉଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କଟାକ୍ଷ ହୋଇଥିବା ଏହି ଭିଡ଼ିଓକୁ 13 ହଜାର ଲାଇକ, 4 ହଜାର କମେଣ୍ଟସ, 13 ହଜାର ସେୟାର ଓ 5 ଲକ୍ଷ 80 ହଜାର ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଦେଖି ସାରିଛନ୍ତି ।