କେନ୍ଦ୍ରାପଡା: ଧ୍ବନି ପ୍ରଦୂଷଣକୁ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ମାନୁ ନାହାନ୍ତି କିଛି ପୂଜା କମିଟି । ମନଇଚ୍ଛା ମାତ୍ରାଧିକ ସାଉଣ୍ଡରେ ବଜାଉଛନ୍ତି ଡିଜେ । ଯାହାର ପରିମାଣ ଭୋଗୁଛନ୍ତି ଲୋକେ । ଅତ୍ୟଧିକ ଶବ୍ଦ ଯୋଗୁଁ ଜଣେ ୧୫ରୁ ଅଧିକ ଅସୁସ୍ଥ ହେବା ପରେ ଥାନାରେ ପହଞ୍ଚିଛି ମାମଲା । ଏମିତି ଅଭିଯୋଗ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।
ସରିଛି ପୂଜା । ଏବେ ଭସାଣି ବେଳ । ରାତିରେ ମନଇଚ୍ଛା ମାତ୍ରାଧିକ ସାଉଣ୍ଡରେ ଗୀତ ବଜାଇ ଚାଲିଛି ଭସାଣି ଶୋଭାଯାତ୍ରା । ଆଉ ଅଭିଯୋଗ କଲେ ଦେଖାଉଛନ୍ତି ସ୍ଥାନୀୟ ପ୍ରଶାସନଠୁ ମିଳିଥିବା ଅନୁମତି ପତ୍ର । ଏଭଳି ଘଟଣା ଗରଦପୁର ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି । ଡିଜେର ଅତ୍ୟଧିକ ଶଦ୍ଦ ଯୋଗୁଁ ଗରଦପୁର ପଞ୍ଚାୟତ ବ୍ରହ୍ମପୁର, ପୁରୁଷୋତ୍ତମପୂର, ମଳିକସାହି, ଘୋଡ଼ାଶାଳ, ବଜ୍ରବାଣ ପ୍ରମୁଖ ଅଞ୍ଚଳର ୧୫ରୁ ଊର୍ଦ୍ଧ୍ଵ ଶିଶୁ,ବୃଦ୍ଧବୃଦ୍ଧା ଏବଂ ହୃଦରୋଗୀ ଗୁରୁତର ହୋଇପଡ଼ିଥିବା ନେଇ ଅଭିଯୋଗ ହୋଇଛି ।
ଗଣେଶ ଠାକୁର ଭସାଣି ଉତ୍ସବରେ ବାଜୁଥିବା ଡିଜେ ଏମାନଙ୍କ ପାଇଁ କାଳ ସାଜିଛି ଡିଜେ ବଜାଇ ନିଶାସକ୍ତ ଯୁବକ ମାନେ ତାଳେତାଳେ ନାଚୁଥିଲେ । କିନ୍ତୁ ଏହି ଡିଜେ ସାଉଣ୍ଡ ଯୋଗୁଁ ୧୫ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ବିଗାଡି ଦେଇଛି । ଯାହାକୁ ନେଇ ଗତ ମଙ୍ଗଳବାର ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଥାଉକି, ଡିଜେ ଗୀତର କର୍କଶ ତାଳେ ତାଳେ ଯୁବପିଢ଼ି ଝୁମୁଥିବା ବେଳେ ପୁରୁଷୋତ୍ତମପୁରର ୫୫ ବର୍ଷୀୟ ପ୍ରମୋଦ କୁମାର କର ବେହୋସ ହୋଇ ତଳେ ପଡ଼ି ଯାଇଥିଲେ । ଘରର ସଦସ୍ୟ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡ଼ାକ୍ତର ହିମାଂଶୁ ଭୂଷଣ ଷଡ଼ଙ୍ଗୀ ପ୍ରମୋଦଙ୍କୁ ଚିକିତ୍ସା କରିଥିଲେ ଓ ପ୍ରମୋଦଙ୍କୁ ହୃଦଘାତ ଆସିଥିବା କହିଥିଲେ । ପ୍ରମୋଦଙ୍କୁ ତୁରନ୍ତ ମେଡିସିନ, ଇଞ୍ଜେକ୍ସନ ଦେବା ସହ ଅକ୍ସିଜେନ ଦିଆଯାଇଥିଲା । ପରେ ପ୍ରମୋଦ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଛନ୍ତି ।