କେନ୍ଦ୍ରାପଡା: ସ୍କୁଲ ଯିବା ବାଟରେ ନିଖୋଜ ହୋଇଯାଇଥିଲେ କେନ୍ଦ୍ରାପଡା ଜିଲ୍ଲାର ୨ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର । ୫ ଦିନ ପରେ ନିଖୋଜ ଛାତ୍ର ଶୁଭଙ୍କର ମଳିକ ଓ ସୋନି ମଳିକଙ୍କୁ ଉଦ୍ଧାର କରିଛି ପୋଲିସ । ସୋନୁଙ୍କୁ ସାଲେପୁର ଅଞ୍ଚଳରୁ ଜଣେ ମହିଳାଙ୍କ ସହ ଉଦ୍ଧାର କରାଯାଇଛି । ସେହିପରି ଶୁଭଙ୍କର ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଠାବ ହୋଇଛି । ଗତ ଶୁକ୍ରବାର ଠାରୁ ଦୁହେଁ ନିଖୋଜ ଥିଲେ । ତେବେ ସେମାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ, ଶୁଭଙ୍କର ଓ ସୋନ ହରିଅଙ୍କ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି । ଗତ ଶୁକ୍ରବାର ଦିନ ଦୁହେଁ ସ୍କୁଲ ଯିବାକୁ କହି ଘରୁ ବାହାରିଥିଲେ । ହେଲେ ଆଉ ଫେରି ନଥିଲେ । ବହୁ ଖୋଜାଖୋଜି କରିବା ପରେ ସୋନୁଙ୍କ ଘର ଲୋକେ କେନ୍ଦ୍ରାପଡ଼ା ସଦର ଥାନାରେ ଓ ଶୁଭଙ୍କରଙ୍କ ଘର ଲୋକେ କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଛାତ୍ରଙ୍କୁ ଠାବ କରିବାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ଆଣି ବିଜେପି ରାଜ୍ୟ ପ୍ରବକ୍ତା ତେଜେଶ୍ଵର ପରିଡା ଗତ ସୋମବାର ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ । ଏହାପରେ ଦୁଇ ଥାନା ଓ ଚାନ୍ଦୋଳ ଫାଣ୍ଡି ପୋଲିସ ତତ୍ପରତା ପ୍ରକାଶ କରି ଛାତ୍ରଙ୍କୁ ଖୋଜିବାକୁ ପ୍ରଚେଷ୍ଟା କରିଥିଲେ ।
ଏହାମଧ୍ୟ ପଢନ୍ତୁ: କୁଖ୍ୟାତ ଅପରାଧି ବିଭୁ ସାହୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ