କେନ୍ଦ୍ରାପଡ଼ା :ନାଗପଡ଼ାରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନାଗପଡ଼ା ଗ୍ରାମରେ ଦୁର୍ବୃତ୍ତଙ୍କ ନାରକୀୟକାଣ୍ଡ । ଜାଳିଲେ 8 ବଖରା ଘର ଜଳାଇଲେ ପିକଅପ ଭ୍ୟାନ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଏଥିରେ ଗ୍ରାମର ଦିବାକର ବାରିକ ଓ ବିଦ୍ୟାଧର ବାରିକ ଦୁଇ ଭାଇଙ୍କ 8 ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି ।
ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ହେଲେ ଏଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯାହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସୂଚନାନୁସାରେ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ହଠାତ ଗାଁ ଭିତରକୁ ପଶି ଆସିଥିଲେ ।
ଏହାପରେ ଗାଁ ଭିତରେ ଥିବା ଏକ ପିକଅପ ଭ୍ୟାନରେ ହଠାତ ନିଆଁ ଲଗାଇ ଦେଇଥିଲେ । ଗାଡ଼ିରେ ନିଆଁ ଲାଗିବା ପରେ ଏମାନେ ଗ୍ରାମର ଦିବାକର ବାରିକ ଓ ବିଦ୍ୟାଧର ବାରିକ ଦୁଇ ଭାଇଙ୍କ 8 ବଖରା ଘରେ ନିଆଁ ଲଗାଇଥିଲେ । ତେବେ ବାହାରେ ଦୁର୍ବୃତ୍ତ ଥିବାରୁ ଘରୁ କେହି ବାହାରି ପାରିନଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଗ୍ରାମବାସୀଙ୍କ ଚିତ୍କାର ଶୁଣି ଦିବାକର ବାରିକ ଓ ବିଦ୍ୟାଧର ବାରିକଙ୍କ ପରିବାର ଲୋକ ଘରୁ ବାହାରି ଆସିଥିଲେ । ହେଲେ ସେତିକି ବେଳକୁ ସବୁ ଜଳି ପାଉଁଶ ହୋଇଯାଇଥିଲା ।
ଗ୍ରାମବାସୀଙ୍କ କହିବା ଅନୁସାରେ, ଗତ 1 ବର୍ଷ ହେବ ଏହି ଗାଁରେ ଦୁର୍ବୃତ୍ତଙ୍କ ଏଭଳି ନାରକୀୟକାଣ୍ଡ ଦେଖିବାକୁ ମିଳିଛି । ରାତି ହେଲେ ଜାଳୁଛନ୍ତି ଗାଡ଼ି ଓ ଘର । ବେଫିକର ହୋଇ ଗାଁ ଭିତରକୁ ପଶୁଛନ୍ତି ଦୁର୍ବୃତ୍ତ । ଆଉ ଘଟାଉଛନ୍ତି ଅମାନବୀୟ କାଣ୍ଡ । କେତେବେଳେ ବାଇକ ଓ ବଡ଼ ଗାଡ଼ିରେ ନିଆଁ ଲଗାଉଛନ୍ତି ତ କେତେବେଳେ ଘରେ ପଶି ନିଆଁ ଲଗାଉଛନ୍ତି । ଏ ନେଇ ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ପୋଲିସ ହାତ ବାନ୍ଧି ବସିଛି । ଫଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ । ବର୍ଷକ ଭିତରେ ଏଭଳି ଘଟଣା 6ଥର ଘଟି ସାରିଲାଣିି । ହେଲେ ଏବେ ବି ପୋଲିସ ହାତ ଖାଲି । ନାଁ ଗିରଫ କରିପାରୁଛି ଦୁର୍ବୃତ୍ତଙ୍କୁ ନା ଏଭଳି ଘଟଣାରେ ଲଗାଇ ପାରୁଛି ରୋକ୍ । ଯାହାକୁ ନେଇ ଅଣନିଶ୍ବାସୀ ହୋଇ ପଡ଼ିଲେଣି ଗ୍ରାମବାସୀ ।
ସେହିପରି ଗତ ବର୍ଷ ମଧ୍ୟ ନାଗପଡ଼ାରେ ଏକ ବୋଲେରୋ ଭ୍ୟାନ ଜାଳି ଦେବା ସହିତ ପୂର୍ବତନ ସରପଞ୍ଚ ଦିବାକର ନାୟକଙ୍କ ଘର ଜାଳି ଦେଇଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣାର ଅଭିଯୁକ୍ତଙ୍କୁ ମଧ୍ୟ ଏଯାବତ ପୋଲିସ ଗିରଫ କରିନାହିଁ । ତେବେ ପୋଲିସର ଏଭଳି ଖାମଖିଆଲିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଏଭଳିକାଣ୍ଡ ବର୍ଷକ ମଧ୍ୟରେ ବାରମ୍ବାର ଘଟୁଥିବା ବେଳେ ଏହାର ନିରାକରଣ ଓ ଦୁଇଭାଇଙ୍କୁ ବାସଗୃହ ସହାୟତା ଯୋଗାଇଦେବା ପାଇଁ ମାଜିଷ୍ଟ୍ରେଟ ତଥା ଆଳି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।