କେନ୍ଦ୍ରାପଡା:୪ମାସ ହେଲା ନାବାଳିକ ନିଖୋଜ । ବାପା ମାଆ ମୂଲ ଲାଗିବାକୁ ଯାଇଥିବା ବେଳେ ଘରୁ ନିଖୋଜ ହୋଇଗଲା ଝିଅ । ୧୭ ବର୍ଷିୟ ଝିଅକୁ ଖୋଜି ଆଣିଦେବାକୁ ଅସହାୟ ବାପାର ଆକୁଳ ନିବେଦନ । ଗତ ୪ ମାସ ହେଲା ମୋ ଝିଅ ନିଖୋଜ ହୋଇଯାଇଛି । ଆଜି ପର୍ଯ୍ୟନ୍ତ କୌଣସି ଖୋଜଖବର ମଧ୍ୟ ମିଳୁନାହିଁ । ପୋଲିସକୁ ଜଣାଇଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି । ଦୌଡି ଦୌଡି ମୁଁ ନୟାନ୍ତ ହେଲିଣି । ହେଲେ ମୋ କଥା କେହି ଶୁଣୁନାହାନ୍ତି କି ମୋ ନାବାଳିକା ଝିଅକୁ ମୁଁ ପାଉନାହିଁ । ମୁଁ ମୋ ଝିଅକୁ କେମିତି ପାଇବି ବୋଲି କୋହଭରା କଣ୍ଠରେ କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ରାମ ମଲିକ ।
ପୋଲିସ ପଦକ୍ଷପ ଗ୍ରହଣ କରୁନଥିବା ଅଭିଯୋଗ ଗତ ଚାରି ସାମ ହେବ ତିରିଣିଆ ଗ୍ରାମର ରାମ ମଲିକଙ୍କ ୧୭ ବର୍ଷିୟ ଝିଅ ବନିତା କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳୁନାହିଁ । ଥାନାରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବାରୁ ହତାଶ ହୋଇପଡିଛନ୍ତି ରାମ । ରାମ ଓ ତାଙ୍କ ପତ୍ନୀ ବୃତ୍ତିରେ ଦିନ ମଜୁରିଆ ହୋଇଥିବା ବେଳେ ଗତ ଚାରି ମାସ ତଳେ ପାଖ ଗାଁକୁ ମୂଲ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଫେରିବା ପରେ ଝିଅ ଘରେ ନଥିବା ଦେଖିବାକୁ ପାଇଥିଲେ । ଏହାପରେ ସାହି ପଡିଶା ଓ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜାଖୋଜି କରିଥିଲେ ହେଁ ବନିତାଙ୍କ କୌଣସି ପତ୍ତା ମିଳିନଥିଲା । ସେହି ଦିନଠାରୁ ଝିଅକୁ ନପାଇ ତାଙ୍କ ମାଆ ଏକ ପ୍ରକାର ପାଗଳୀ ହୋଇଯାଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ରାମ ମଲିକ । ଏହାପରେ ଥାନାର ଦ୍ବାରସ୍ତ ହୋଇଥିଲେ ନିଖୋଜ ନାବାଳିକାଙ୍କ ବାପା ।
ଏହା ମଧ୍ୟ ପଢନ୍ତୁ-ଭାରସାମ୍ୟ ହରାଇ ଡ୍ରେନକୁ ଓଲଟିଲା ବସ, ୨୦ ଆହତ
ପ୍ରଥମେ ଚାନ୍ଦୋଳ ଫାଣ୍ଡି ପରେ ସଦର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଝିଅକୁ ଖୋଜି ଆଣିବାରେ କେହିବି ପଦକ୍ଷପ ଗ୍ରହଣ ନକରିବାରୁ ରାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଛନ୍ତି । ଯଥାଶୀଘ୍ର ପୋଲିସ ତାଙ୍କ ଝିଅକୁ ଖୋଜି ଆଣିଦେବା ପାଇଁ ଗୁହାରୀ କରିବା ସହ ଅଭିଯୋଗ ସମ୍ପର୍କରେ ଟାଳଟୁଳ ନୀତି ଆପଣାଇ ଥିବା ପୋଲିସ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।
ଏନେଇ ରାମ ମଲିକ ଅଭିଯୋଗ କରିଛନ୍ତି ଯେ, ''ଆଜକୁ ଚାରି ମାସ ହେବ ମୋ ଝିଅ ନିଖୋଜ ଅଛି, ଫାଣ୍ଡିରେ ମୁଁ ଅଭିଯୋଗ କରିଥିଲି, ଫାଣ୍ଡି ବାବୁ କିଛି ବୁଝୁନାହାଁନ୍ତି । ଖାଲି କହୁଛନ୍ତି ଝିଅର ଆଧାର କାର୍ଡ ଆଣ, ସାର୍ଟିଫିକେଟ ଆଣ । ମୁଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲି ପଛେ କେହି କିଛି ଶୁଣିଲେ ନାହିଁ । ଆଜି ଏସପି ଅଫିସକୁ ଯାଇଥିଲି, ସେଠାରେ କିନ୍ତୁ ଏ ବିଷୟରେ କେହି ଜାଣିନଥିବା କହିଥିଲେ । ପୋଲିସ ମୋତେ ବହୁତ ହଇରାଣ କରୁଛନ୍ତି ।
ମୋ ପତ୍ନୀ ଆଉ ମୁଁ କାମ କରିବାକୁ ଯାଇଥିବା ବେଳେ ମୋ ଝିଅ ନିଖୋଜ ହୋଇଯାଇଛି । ସେ କେଉଁ ଆଡେ ଯାଇଛି, କେମିତି ଅଛି, ବଞ୍ଚିଛି ନା ନାହିଁ ତାହା ମଧ୍ୟ ଆମକୁ ଜଣା ନାହିଁ । ତିନି ମାସ ଖୋଜିବା ପରେ ପୋଲିସର ଦ୍ବାରସ୍ତ ହେଲୁ କିନ୍ତୁ ପୋଲିସ ବାବୁ କୌଣସି ପଦକ୍ଷପ ଗ୍ରହଣ କରୁନାହାନ୍ତି । ଏଠାରେ ମୋ ଝିଅକୁ ଖୋଜି ଆଣିବାକୁ କେହି ରାଜି ନୁହଁନ୍ତି ବୋଲି କହିଛନ୍ତି ନିଖୋଜ ନାବାଳିକାଙ୍କ ବାପା ରାମ ମଲିକ ।''
ଇଟିଭି ଭାରତ, କେନ୍ଦ୍ରାପଡା