ଓଡିଶା

odisha

ETV Bharat / state

ବିବାଦୀୟ ଖରସ୍ରୋତା ପ୍ରକଳ୍ପସ୍ଥଳରେ ବିଭିନ୍ନ ରାଜନୈତିକ ଦଳର ଟିମ, ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା - kendrapada district news

କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ବିବାଦୀୟ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ କଂଗ୍ରେସ, ବିଜେପି ସହ ଅନ୍ୟ କିଛି ରାଜନୈତିକ ଦଳ। ପ୍ରକଳ୍ପ ସ୍ଥଗିତ ରଖି ପୁନଃ ଅନୁଧ୍ୟାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ...

ବିବାଦୀୟ ଖରସ୍ରୋତା ପ୍ରକଳ୍ପ: ଘଟଣାସ୍ଥଳରେ ବିଭିନ୍ନ ରାଜନୈତିକ ଦଳର ଟିମ, ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା
ବିବାଦୀୟ ଖରସ୍ରୋତା ପ୍ରକଳ୍ପ: ଘଟଣାସ୍ଥଳରେ ବିଭିନ୍ନ ରାଜନୈତିକ ଦଳର ଟିମ, ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା

By

Published : Aug 17, 2021, 8:28 PM IST

Updated : Aug 17, 2021, 9:29 PM IST

କେନ୍ଦ୍ରାପଡା: ଆଳି-ରାଜକନିକା ସୀମାନ୍ତ ଭାରିଗଦା ଠାରେ ନିର୍ମାଣଧୀନ ବୃହତ ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ୩ ଖଣ୍ଡ ପଞ୍ଚାୟତବାସୀ ବିରୋଧ କରୁଥିବାବେଳେ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରକଳ୍ପ ବନ୍ଦ ଦାବିରେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଭିନ୍ନ ବିରୋଧୀଦଳ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କିରଛନ୍ତି । ସେହିପରି ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସରଜମିନ ସ୍ଥିତି ପରଖିଛନ୍ତି କଂଗ୍ରେସ ଓ ବିଜେପିର ରାଜ୍ୟ ନେତୃବୃନ୍ଦ । ଆଜି ଦୁଇ ଦଳର ବରିଷ୍ଠ ନେତାଙ୍କ ନେତୃତ୍ବରେ ରାଜ୍ୟସ୍ତରୀୟ ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାର ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

ବିବାଦୀୟ ଖରସ୍ରୋତା ପ୍ରକଳ୍ପସ୍ଥଳରେ ବିଭିନ୍ନ ରାଜନୈତିକ ଦଳର ଟିମ, ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା

ଅନ୍ୟପଟେ ଭିତରକନିକା ଇକୋ-ସେନସିଟିଭି ଜୋନ କମିଟିର ସଦସ୍ୟ ତଥା ଅନଶନରତ ପରିବେଶବିତ୍ ଶ୍ରୀକାନ୍ତ ନାୟକଙ୍କୁ ପୋଲିସ ଉଠାଇ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସୁଦ୍ଧା ମେଡିକାଲ ବେଡରେ ଅନଶନ ଜାରି ରଖିଛନ୍ତି ଶ୍ରୀକାନ୍ତ । କିନ୍ତୁ ତମାମ ବିରୋଧ ଓ ହିଂସା ପରେ ମଧ୍ୟ ସରକାର ଆଲୋଚନା ପ୍ରତି କୌଣସି ଆଗ୍ରହ ଦେଖାଉନଥିବା ପରିଲକ୍ଷିତ ହେଉଛି । ପ୍ରକଳ୍ପ ସ୍ଥଳରେ ୩୦ ପ୍ଲାଟୁନରୁ ଊର୍ଦ୍ଧ୍ବ ପୋଲିସ ଫୋର୍ସ ନିୟୋଜିତ କରି ପ୍ରକଳ୍ପ କାମ ଜାରି ରଖିଛି ପ୍ରଶାସନ ।

ଉଭୟ କଂଗ୍ରେସ ଓ ବିଜେପିର ରାଜ୍ଯ ନେତୃବୃନ୍ଦ ଏକ ଟିମ ଆଜି ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଆନ୍ଦୋଳନକାରୀ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନଙ୍କ ନେତୃତ୍ବରେ ଏକ ୮ଜଣିଆ ଟିମ ଅନୁଧ୍ୟାନ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଭୂତଳ ଜଳସ୍ତର ହ୍ରାସ ହେଉଥିବା ଜିଲ୍ଲା ଶ୍ରେଣୀଭୁକ୍ତ ରହିଛି । ମୌସୁମୀ ସମୟରେ ବର୍ତ୍ତମାନ ନଦୀରେ ପାଣି ନାହିଁ। ଏହି ପ୍ରକଳ୍ପ ହେଲେ ଆଗାମୀ ଦିନରେ ଏହାର ପ୍ରଭାବ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ସହ ବିଶ୍ବ ପ୍ରସିଦ୍ଧ ଭିତରକନିକାର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିବ । ସରକାର ଲୋକ କଥା ନ ଶୁଣି, ଜନଶୁଣାଣି ନ କରି ଜୋର ଜବରଦସ୍ତ ପୋଲିସ ଲଗାଇ ଏହି ପ୍ରକଳ୍ପ କରୁଛନ୍ତି । ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ନିଷ୍ପତ୍ତିର ପୁନଃବିଚାର କରିବା ଦାବି କରିଛନ୍ତି ପୃଥୀରାଜ ହରିଚନ୍ଦନ ।

ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ରକଳ୍ପ ନେଇ ସରକାର ଓ ସ୍ଥାନୀୟ ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିବା ଦେଖିବାକୁ ମୁଳିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ ପ୍ରକଳ୍ପସ୍ଥାନ ପରିଦର୍ଶନ କରି ଘଟଣାକୁ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିରିକୃତ ହୋଇନଥିବା ବେଳେ କେଉଁ ମାପଦଣ୍ଡରେ ଏହି ସ୍ଥାନକୁ ଉପଯୁକ୍ତ ବୋଲିି ସ୍ଥିର କରାଗଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ପଞ୍ଚାନନ । ସରକାର ଓ ଜିଲ୍ଲା ପ୍ରଶାସନର ଏକ ଚାଟିଆ ନିଷ୍ପତିକୁ ତୀବ୍ର ବିରୋଧ କରି ସିପିଆଇ, ସିପିଆଇଏମ ଓ କଂଗ୍ରେସ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପ୍ରକଳ୍ପ ହେଲେ ଜିଲ୍ଲାରେ ଜଳସ୍ତର କମିବା ସହ ବିଶ୍ବପ୍ରସିଦ୍ଧ ଭିତରକନିକାର ଜୈବ ମଣ୍ଡଳର ବିବିଧତା ଉପରେ ସିଧାସଳଖ ପ୍ରଭାବ ପଡୁଥିବାରୁ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗରେ ପରିବେଶବିତ୍ ତଥା ଭିତରକନିକା ଇକୋ ସେନସେଟିଭ ଜୋନ୍ କମିଟିର ସଦସ୍ୟ ଶ୍ରୀକାନ୍ତ ନାୟକ ୮ମ ଦିନ ଧରି ଆମରଣ ଅନଶନ ଜାରି ରଖିଛନ୍ତି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଅଚ୍ୟୁତପୁର ଛକ ନିକଟରେ ଶତାଧିକ ଲୋକ ପ୍ରକଳ୍ପ ବନ୍ଦ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବନ୍ଦ ଦାବିରେ ଗଣଧାରଣା ଜାରି ରଖିଛି । ଗୋଟେ ପଟେ ବିରୋଧ ଜାରି ରହିଥିବାବେଳେ ଅନ୍ୟପଟେ ପ୍ରକଳ୍ପ ଅଞ୍ଚଳକୁ ବ୍ୟାରିକେଟ କରାଯାଇ ବ୍ୟାପକ ପୋଲିସ ଫୋର୍ସ ଲଗାଇ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ମଧ୍ୟ ରହିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 17, 2021, 9:29 PM IST

ABOUT THE AUTHOR

...view details