ଓଡିଶା

odisha

By

Published : Feb 25, 2022, 3:21 PM IST

ETV Bharat / state

ଗହୀରମଥାରେ ଅତିଥି, ମାର୍ଚ୍ଚରେ ଆରମ୍ଭ ହେବ ସାମୂହିକ ଅଣ୍ଡାଦାନ

ମାର୍ଚ୍ଚ ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ ଅଲିଭ ରିଡଲେଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା । ଗହୀରମଥାର ମସୃଣ ବାଲିରେ ଅଣ୍ଡା ଦେବେ ବିରଳ କଇଁଛ । ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ଗହୀରମଥାରେ ଅତିଥି, ମାର୍ଚ୍ଚରେ ଆରମ୍ଭ ହେବ ସାମୁହିକ ଅଣ୍ଡାଦାନ
ଗହୀରମଥାରେ ଅତିଥି, ମାର୍ଚ୍ଚରେ ଆରମ୍ଭ ହେବ ସାମୁହିକ ଅଣ୍ଡାଦାନ

କେନ୍ଦ୍ରାପଡା: ମାର୍ଚ୍ଚ ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା । ଗତ ନଭେମ୍ବର ମାସରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆସି ପହଞ୍ଚିଥିବା ଅଲିଭ ରିଡଲେ କଇଁଛ ମଧ୍ୟରେ ଏବେ ସ୍ଫୋରାଟିକ ଅଣ୍ଡାଦାନ ଚାଲିଛି । ଆସନ୍ତା ମାସ ଦ୍ଵିତୀୟ ସପ୍ତାହରୁ ସାମୁହିକ ଅଣ୍ଡାଦାନ ଆରମ୍ଭ ହେବ । ପ୍ରତିବର୍ଷ ରାଜ୍ୟର ଋଷିକୂଲ୍ୟା, ଦେବୀନଦୀ ଓ ଗହୀରମଥାରେ ଅଲିଭ ରିଡଲେ କଇଁଛଙ୍କ ଆଗମନ ହୋଇଥାଏ ।

ଗହୀରମଥାରେ ଅତିଥି, ମାର୍ଚ୍ଚରେ ଆରମ୍ଭ ହେବ ସାମୁହିକ ଅଣ୍ଡାଦାନ

ଏଥର ମଧ୍ୟ ନଭେମ୍ବର ମାସରୁ ବିଭିନ୍ନ ମହାସାଗରରୁ ଆସି ଏଠାରେ ଡେରା ପକାଇଛନ୍ତି ଏହି ବିରଳ କିଇଁଛ । ଋଷିକୂଲ୍ୟ ଓ ଦେବୀ ନଦୀକୁ ଅଲିଭ ରିଡଲେ ଆସୁଥିଲେ ମଧ୍ୟ ବିଶ୍ୱ ମାନଚିତ୍ରରେ ଗହୀରମଥାର ସ୍ଥାନ ସ୍ୱତନ୍ତ୍ର । ଦେବୀ ନଦୀ ମୁହାଣରୁ ଧାମରା ମୁହାଣ ମଧ୍ୟରେ ଥିବା ସମସ୍ତ ସାମୁଦ୍ରିକ ବେଳାଭୂମି ଯେପରିକି ଅଗରନାସୀ, ଶିଆଳି, ବରୁଣେଇ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ସ୍ଫୋରାଟିକ ନେଷ୍ଟିଂ ହେଉଥିବା ବେଳେ ନାଶୀ-୧, ନାଶୀ-୨ ଓ ବାବୁବାଲିରେ ମାସ ନେଷ୍ଟିଂ ବା ସାମୁହିକ ଅଣ୍ଡାଦାନ କରିଥାନ୍ତି ବିରଳ ଅଲିଭ ରିଡଲେ କଇଁଛ ।

ନଭେମ୍ବର ମାସ ହେଲେ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଓ ଶ୍ରୀଲଙ୍କାର ଜାଫନା ଉପକୂଳରୁ ଗହୀରମଥାକୁ ଛୁଟି ଆସିଛନ୍ତି ଅଲିଭ ରିଡଲେ । ଅଣ୍ଡାଦାନ ପରେ ପୁଣି ମେ ମାସ ଶେଷ ଆଡକୁ ନିଜ ନିଜ ସ୍ଥାନକୁ ଫେରିଯାଇଥାନ୍ତି । ଗହୀରମଥାର ଅନୁକୂଳ ପାଗ ସାଙ୍ଗକୁ ଏଠାରେ ଜେଲି ଫିସ ଅଧିକ ପରିମାଣରେ ଉପଲବ୍ଧ ହେଉଥିବାରୁ ଅଲିଭ ରିଡଲେ ଏହି ସ୍ଥାନକୁ ଅଣ୍ଡାଦାନ ପାଇଁ ଚିହ୍ନଟ କରୁଥିବାର ପରିବେଶବିତ୍ କୁହନ୍ତି । ଗୋଟିଏ କଇଁଛ ସ୍ଥଳ ବିଶେଷରେ ୧୨୦-୧୫୦ଟି ଅଣ୍ଡା ଦେଉଥିବା ବେଳେ ଏହି ଅଣ୍ଡାରୁ ଶାବକ ବାହାରିବା ପାଇଁ ୪୫-୬୦ଦିନ ସମୟ ଲାଗିଥାଏ ।

କୁହାଯାଏ, ୧୯୭୫ ମସିହାରେ ଅର୍ଥାତ ଭିତରକନିକାକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ସମୟରେ ଅଷ୍ଟ୍ରେଲୀୟ ପ୍ରାଣୀ ବିଶେଷଜ୍ଞ HR ବଷ୍ଟାର୍ଡ ଗହୀରମଥା ଉପକୂଳରେ ବୁଲୁଥିବା ସମୟରେ କଇଁଛମାନଙ୍କ ଅଣ୍ଡାଦାନ ଦେଖି ଏହାକୁ ଅଭୟାରଣ୍ୟ ଘୋଷଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିରଳ ଅଲିଭ ରିଡଲେ କଇଁଛମାନେ ଗହୀରମଥାର ମସୃଣ ବାଲି ଯୋଗୁଁ ଏଠାକୁ ନିଜର ଅଣ୍ଡାଦାନ ପାଇଁ ଚିହ୍ନଟ କରିଥିବା ମଧ୍ୟ ପରିବେଶବିତ୍ କୁହନ୍ତି ।

ଅଲିଭ ରିଡଲେ କଇଁଛ ମାନଙ୍କର ଆଗମନ ଠାରୁ ଆରମ୍ଭ କରି ସାମୁହିକ ଅଣ୍ଡାଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ବନବିଭାଗ ସଜାଗ ରହିଥିବା ସହ କମ ଲାଇଟିଂ, କଡା ସୁରକ୍ଷା, ପାଟ୍ରୋଲିଂ ବ୍ୟବସ୍ଥାକୁ ଦ୍ବିଗୁଣିତ କରୁଥିବା କହିଛନ୍ତି ବନଖଣ୍ଡ ଅଧିକାରୀ । ଅଲିଭ ରିଡଲେ କଇଁଛ schedule-1 ଅନ୍ତର୍ଗତ ହୋଇଥିବା କାରଣରୁ ଏହାର ସୁରକ୍ଷା ପାଇଁ DRDO, ଭାରତୀୟ କୋଷ୍ଟଗାର୍ଡ, ନ୍ୟାଭି ଭଳି ବିଭିନ୍ନ ସଂସ୍ଥା ସହଯୋଗ କରୁଥିବା ବେଳେ ବେଳାଭୂମି ସଫେଇ କାର୍ଯ୍ୟରେ ସ୍ଥାନୀୟ ଯୁବକ ସଂଘ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହଯୋଗ ରହିଥାଏ ।

ଆରିବାଡା ଅର୍ଥାତ ମାସ ନେଷ୍ଟିଂ ମାର୍ଚ୍ଚ ଦ୍ଵିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ଆରମ୍ଭ ହେବାକୁ ଥିବାବେଳେ ଜାନୁଆରୀ ପ୍ରଥମ ସପ୍ତାହରୁ ସ୍ଫୋରାଟିକ ନେଷ୍ଟିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । ସେହିପରି ପୂର୍ବ ଦୁଇବର୍ଷ ଅଲିଭ ରିଡଲେ କଇଁଛଙ୍କ ସଂଖ୍ୟା ଗହୀରମଥା ସାମୁଦ୍ରିକ ବେଳାଭୂମିରେ ବଢିଥିବା ବେଳେ ବାହାର ରାଜ୍ୟରୁ ପ୍ରାଣୀ ଓ କଇଁଛ ବିଶେଷଜ୍ଞଙ୍କୁ ଅଣାଯାଇ ଏହି ଗଣନା କାର୍ଯ୍ୟ ଓ ମାସ ନେଷ୍ଟିଂ ବା ସାମୁହିକ ଅଣ୍ଡାଦାନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ କୁହାଯାଇଛି ।

ଗତବର୍ଷ ଅକ୍ଟୋବର ମାସରେ ରାଜ୍ୟ ସରକାର ଓ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କଇଁଛଙ୍କ ସୁରକ୍ଷା ପାଇଁ ବୈଠକ ହୋଇଥିଲା । ହେଲେ ବୈଠକରେ ଆଲୋଚିତ ୧୨ଟି ପ୍ରସ୍ତାବ ଉପରେ କୌଣସି ଅଧିକାରୀ କିମ୍ବା ପ୍ରଶାସନ ଆଦୌ ପଦକ୍ଷେପ ନେଉନଥିବା ଯୋଗୁଁ ଭବିଷ୍ୟତରେ ଗହୀରମଥା କେବଳ କାଗଜ କଲମରେ ଶୋଭା ପାଇବ ବୋଲି କହିଛନ୍ତି ପରିବେଶବିତ୍ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details