କେନ୍ଦ୍ରାପଡା:ସୀମା ଟପିଲା ନିର୍ଯାତନା, ବୋହୂର ଜୀବନ ନେଇଗଲେ ଶାଶୁଘର ଲୋକେ । ଝିଅକୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ଶୁଣିଲା ନାହିଁ ପୋଲିସ । ଶେଷରେ ଝିଅର ତଣ୍ଟି ଚିପି ମାରିଦେଲେ ଶାଶୁ ଘର ଲୋକେ । ପୋଲିସ ମୋ ଅଭିଯୋଗକୁ ବିଚାରକୁ ନେଇଥିଲେ ଆଜି ହୁଏତ ମୋ ଝିଅ ବଞ୍ଚି ଯାଇଥାନ୍ତା ବୋଲି କହିଛନ୍ତି ମୃତ ମହିଳାଙ୍କ ବାପା । ଏଭଳି ଘଟଣା ଘଟିଛି ରାଜକନିକା ଥାନା ଆନ୍ତର୍ଗତ ମହାଦେଇ ଆଡିଆ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ମଞ୍ଜୁଲତା ଦାସ ।
ଅଭିଯୋଗ ଅନୁଯାୟୀ, ନଳିତାପାଟିଆ ଗ୍ରାମର ହରିହର ଦାସଙ୍କ ଝିଅ ମଞ୍ଜୁଲତା ଦାସ ଆଡିଆ ଗ୍ରାମର ଦିଗମ୍ବର ମଳିକଙ୍କ ପୁଅ ବାପିନା ମଳିକକୁ ୨୦୨୦ ନଭେମ୍ବର ମାସରେ ପ୍ରେମବିବାହ କରିଥିଲେ । ବିବାହର ଏକ ବର୍ଷ ହସ ଖୁସିରେ କଟୁଥିଲା ଦିନ । କିନ୍ତୁ ହଠାତ ମଞ୍ଜୁଲତା ଦାସଙ୍କ ଜୀବନରେ ମାଡି ଆସିଲା ଦୁଃଖର କଳା ବାଦଲ । ପ୍ରେମ ବଦଳରେ ସ୍ବାମୀଠୁ ମିଳିଲା ନିର୍ଯ୍ୟାତନା ।
ମଞ୍ଜୁଲତାଙ୍କ ସ୍ୱାମୀ ବାପିନା ମଳିକ ତାଙ୍କ ପରିବାର କଥାରେ ପଡି ମଦ୍ୟପାନ କରି ମଞ୍ଜୁଲତାଙ୍କୁ ଏନେକ ସମୟରେ ମାଡ ମାରୁଥିଲେ । ଏପରିକି ବାପିନା ବିଦେଶକୁ ରୋଜଗାର କରିବାକୁ ପୂର୍ବରୁ ଯାଉଥିବାବେଳେ, ମଞ୍ଜୁଙ୍କୁ ଟଙ୍କାଟିଏ ଚଳିବା ନିମନ୍ତେ ଦେଉନଥିଲେ । ଫଳରେ ବାଧ୍ୟ ହୋଇ ସେ ଦିନ ମଜୁରିଆ ଭାବେ କାମ କରି ଦୁଇ ଛୁଆଙ୍କ ଭରଣ ପୋଷଣ କରୁଥିଲେ । ଖାଲି ସେତିକି ନୁହଁ ବାପିନା ଘରେ ରହୁଥିବା ବେଳେ ମଞ୍ଜୁ ଯାହା ରୋଜଗାର କରି ଆଣେ ସେଥିରୁ ସେ ଅଧା ଟଙ୍କା ନେଇଯାଏ । ସେହି ଟଙ୍କାରେ ମଦ ପିଇ ଆସି ଘରେ ମଞ୍ଜୁଙ୍କୁ ମାଡ ମାରିବା ସହ ନିର୍ଯ୍ୟାତନା ଦେଉଥିଲା ବାପିନା । ଏନେଇ ବହୁବାର ମଞ୍ଜୁଲତା ଘର ଲୋକଙ୍କୁ ଜଣାଇବା ପରେ ବାପା ଓ ପରିବାର ଲୋକେ ମିଶି ଏହାର ସମାଧାନ କରୁଥିଲେ ।