କେନ୍ଦ୍ରାପଡ଼ା: ଶୀତଋତୁର ଆଗମନ ସହ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥାରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ହୋଇଛି। ପ୍ରତ୍ୟେକ ବର୍ଷ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଗହିରମଥା ସାମୁଦ୍ରିକ କଇଁଛ ଅଭୟାରଣ୍ୟରେ ଏହି ବିରଳ କଇଁଛଙ୍କ ସମାଗମ ହୋଇଛି। ସୁଦୂର ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ଲକ୍ଷଲକ୍ଷ ଅଲିଭ ରିଡଲେ କଇଁଛ ନିଜ ବଂଶ ବିସ୍ତାର କରିବା ପାଇଁ ଅଣ୍ଡା ଦେବାକୁ ନାସୀ-2ର ବାବୁବାଲି ଦ୍ବୀପକୁ ଚାଲି ଆସନ୍ତି।
ଅଲିଭ ରିଡଲେ କଇଁଛ ମାନଙ୍କର ଏନ୍ତୁଡ଼ିଶାଳ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି। ଏନ୍ତୁଡିଶାଳକୁ ଏହି ଦୁର୍ଲଭ ଜୀବ ଭୁଲିଯିବେ ବା କେମିତି? ବିଶ୍ବ ମାନଚିତ୍ରର ବିରଳ ଜୀବ ଏବେ କେନ୍ଦ୍ରାପଡାର ଗହୀରମଥା ମୁହାଁ । ପ୍ରତିବର୍ଷ ଲକ୍ଷଲକ୍ଷ ଅଲିଭ ରିଡଲେ କଇଁଛ ଏଠାରେ ଅଣ୍ଡା ଦେଇ ଫେରି ଯାଇଥାଆନ୍ତି। ସ୍ଫୋରାଟିକ ବା ଗୋଟିଗୋଟି ଅଣ୍ଡାଦାନ କରିଥିବା ଅଣ୍ଡାରୁ କଇଁଛ ଛୁଆ ବାହାରୁଥିବା ବେଳେ ସାମୁହିକ ବା ମାସ ନେଷ୍ଟିଂ କରିଥିବା କଇଁଛ ମାନଙ୍କ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥାଏ । ଚଳିତବର୍ଷ ପାଗ ଅନୁକୂଳ ଥିବା ଯୋଗୁଁ ଅଣ୍ଡାଦାନ ପ୍ରକ୍ରିୟା ଅଧିକ ହେବାନେଇ ଆଶା କରାଯାଉଛି।