କେନ୍ଦ୍ରାପ଼ଡା: ସ୍ବାର୍ଥନ୍ଵେଷୀ ମାନସିକତା ପ୍ରକୃତିର ସହଜାତ ପ୍ରକ୍ରିୟାର ପାଦ ଭିଡୁଛି। ବ୍ୟବସାୟ ଖୋର୍ ଅଭ୍ୟାସର ଆଭ୍ୟନ୍ତରୀଣ କାରନାମାରେ ଦେଶ ର ଦ୍ଵିତୀୟ ବୃହତ ହେନ୍ତାଳ ବଣ ପଦା' ହେବାକୁ ବସିଲାଣି । ସମୁଦ୍ର ଘୁଞ୍ଚି ଘୁଞ୍ଚି ଆସୁଛି। ଏସଵୁକୁ ଯେମିତି ସହଜରେ ହଜମ କରି ନେଇଛି, ସୁବିଧାବାଦୀ ଅସାଧୁ ବ୍ୟକ୍ତି। ଜନଵସତି ମୁହାଁ ସମୁଦ୍ରକୁ କିଏ ରୋକିବ ? ହେନ୍ତାଳ ବନ ସୁରକ୍ଷା ତଥା ଲୁଣା ଜଙ୍ଗଲର ଅବକ୍ଷୟ ବିରୋଧରେ କଥା ନ୍ୟାୟଳୟରେ ଉଠିଛି ସତ-ହେଲେ ପ୍ରଶାସନ, ଅମଲାତନ୍ତ୍ର ଏବଂ କିଛି ଅସାଧୁ ବ୍ୟବସାୟୀଙ୍କ କାର୍ଯ୍ୟକଳାପରେ ସମୁଦ୍ର ଗ୍ରାସ କରିବାକୁ ବସିଛି ଅନେକଙ୍କ ଭିଟ୍ଟାମାଟି ଆଉ ଜୀବନ ଜୀବିକା। ଓଡ଼ିଶାର 488 କିଲୋମିଟର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଧୀରେଧୀରେ ମାଡି ଆସୁଛି ସମୁଦ୍ର। ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା ପାଇଁ ଏହି ହେନ୍ତାଳ ବନ ଓ ଲୁଣା ଜଙ୍ଗଲର ଅବକ୍ଷୟ ଘଟିଥିବା ଅଭିଯୋଗ ହେଉଛି ।
କେନ୍ଦ୍ରାପଡ଼ା,ଜଗତସିଂହପୁର,ପୁରୀ ଓ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ମାଡି ଆସୁଥିବା ବେଳେ ଚିନ୍ତାରେ ଜନସାଧାରଣ। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର,ମହାକାଳପଡ଼ା ଅଞ୍ଚଳରେ ସମୁଦ୍ର କୁଳ ଲଙ୍ଘନ କରି ଜନବସତି ଆଡକୁ ଆସୁଥିବା ବେଳେ ଏହାକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସି-ୱାଲ ମାନ ନିର୍ମାଣ କରୁଛନ୍ତି କିନ୍ତୁ ପ୍ରାକୃତିକ ଉପାୟରେ ଏହାକୁ ରୋକିବା ପାଇଁ ନା ଅଛି ଇଛାଶକ୍ତି ନା ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ହେନ୍ତାଳ ବନ ବା ଲୁଣା ଜଙ୍ଗଲ ସମୁଦ୍ର ଜୁଆରକୁ ରୋକୁଥିବା ବେଳେ ଚିଙ୍ଗୁଡ଼ି ଘେରି ଓ କାଠ ବିକ୍ରି ଉଦ୍ଦେଶ୍ୟରେ ଏହି ହେନ୍ତାଳ ବନ ଗୁଡିକୁ ନଷ୍ଟ କରାଯାଉଥିବାରୁ ଆଉ କିଛି ବର୍ଷ ପରେ ସମଗ୍ର ଅଞ୍ଚଳ ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହେଉଛି।
ହେନ୍ତାଳ ବନ ନଷ୍ଟ କରି ପାରାଦ୍ୱୀପ ବନ୍ଦର ତିଆରି କରାଯାଇଥିବାରୁ ସମୁଦ୍ର ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଥିବା ଏହାର ଏକ ବଳିଷ୍ଠ ଉଦାହରଣ ମାତ୍ର।ରାଜନଗର ଓ ମହାକାଳପଡା ଅଞ୍ଚଳରେ କିଛି ଅସାଧୁ ବ୍ୟକ୍ତି ହେନ୍ତାଳ ବନକୁ କାଟି ଚିଙ୍ଗୁଡ଼ି ଘେରି କରିବା ପ୍ରତିବାଦରେ ସାମାଜିକ କର୍ମୀ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ଓ ମାନ୍ୟବର କୋର୍ଟ ହେନ୍ତାଳ ବନ ଧ୍ବଂସ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ପାଲଟିଥିବାରୁ ହେନ୍ତାଳ ଗଛ କାଟି ବେଶ ଖୁସିରେ ଅସାଧୁ ଅପରପକ୍ଷରେ ହେନ୍ତାଳ ଜଙ୍ଗଲର କ୍ଷତି ଯୋଗୁ ରାଜନଗର ସାତଭାୟା ବାସୀ ବର୍ତ୍ତମାନ ବିସ୍ଥାପିତ।
ଜଳବାୟୁର ପରିବର୍ତ୍ତନ ସାଙ୍ଗକୁ ସମୁଦ୍ର ଜୁଆର ମାଡି ଆସୁଥିବା ବେଳେ ଏହି ହେନ୍ତାଳ ବନ ପାଚେରୀ ହୋଇ ଛିଡା ହେଉଥିଲା।କିନ୍ତୁ ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା ପାଇଁ ଏହି ଲୁଣା ଜଙ୍ଗଲର ଅବକ୍ଷୟ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସାତଭାୟା ବାସିନ୍ଦା।