ଓଡିଶା

odisha

ETV Bharat / state

ଅଦିନରେ ମାଣବସା, ଲକ୍ଷ୍ମୀପୂଜା ମଣ୍ଡପରେ ମାଣ ବସାନ୍ତି ମର୍ଦ୍ଦରାଜ ପରିବାର - କେନ୍ଦ୍ରାପଡା ଥାନପତି ପୂଜା କମିଟି

ଗଜଲକ୍ଷ୍ମୀ ପୂଜାରେ କେନ୍ଦ୍ରପଡା ଜିଲ୍ଲାର ନୂଆ ବସଷ୍ଟାଣ୍ଡ ସ୍ଥିତ ଥାନପତି ପୂଜା କମିଟିରେ ଗଜଲକ୍ଷ୍ମୀ ପୂଜାରେ ମାଣ ବସାଇ ମା'ଙ୍କୁ ଆରାଧନା କରାଯାଏ । ମର୍ଦ୍ଦରାଜ ପରିବାରର ଜଣେ ବ୍ୟକ୍ତିଙ୍କ ଦେହାନ୍ତ କାରଣରୁ ଚଳିତବର୍ଷର ପୂଜା ଆଶା ଆଶଙ୍କାରେ ରହିଥିବା ବେଳେ ମର୍ଦ୍ଦରାଜ ପରିବାରର ଭଣଜା ବୋହୂ, ନାତୁଣୀ ଓ ଭଣଜା ପରମ୍ପରାକୁ ଆଗକୁ ବଢାଇଛନ୍ତି। ଅଧିକ ପଢନ୍ତୁ

manabasa rituals held in kendrapara
manabasa rituals held in kendrapara

By ETV Bharat Odisha Team

Published : Nov 2, 2023, 5:36 PM IST

Updated : Nov 2, 2023, 5:55 PM IST

ଅଦିନରେ ମାଣବସା

କେନ୍ଦ୍ରାପଡା:ଧରାପୃଷ୍ଠରେ ଅବତରଣ କରିଛନ୍ତି ମା'ଲକ୍ଷ୍ମୀ । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଧୂମଧାମରେ ଚାଲିଛି ପୂଜାର୍ଚ୍ଚନା । କେନ୍ଦ୍ରପଡା ଜିଲ୍ଲା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଥାନପତି ଗଜଲକ୍ଷ୍ମୀଙ୍କ ପୂଜା ଟିକେ ନିଆରା । ଓଡ଼ିଆ ଘରର ବୋହୂମାନେ ସାଧାରଣତଃ ମାର୍ଗଶୀର ମାସରେ ମାଣ ବସାଇ ମା'ଲକ୍ଷ୍ମୀଙ୍କୁ ଆରାଧନା କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ନୂଆ ବସଷ୍ଟାଣ୍ଡ ସ୍ଥିତ ଥାନପତି ପୂଜା କମିଟିରେ ଦେଖିବାକୁ ମିଳେ ଭିନ୍ନ ପରମ୍ପରା । ଏଠି କାର୍ତ୍ତିକ ମାସରେ ହୁଏ ମାର୍ଗଶୀର ମାସର ଗୁରୁବାରର ପରମ୍ପରା । ଗଜଲକ୍ଷ୍ମୀ ପୂଜା ମଧ୍ୟରେ ପଡୁଥିବା ଗୁରୁବାରରେ ଲକ୍ଷ୍ମୀଙ୍କ ନିକଟରେ ମାଣ ବସାଇ ପୂଜା କରୁଛନ୍ତି ସହରର ମର୍ଦ୍ଦରାଜ ପରିବାର । ଧନଲକ୍ଷ୍ମୀକୁ ଧାନମାଣରେ ବସାଇ ଧୂପ,ଦୀପ ଓ ଭୋଗ ଲଗାଇ ପୂଜା କରିଥାଆନ୍ତି ମହିଳା ।

85 ବର୍ଷ ଧରି ଚାଲିଆସୁଛି ପରମ୍ପରା: ୧୯୩୭ ମସିହାରୁ ମା' ଗଜଲକ୍ଷ୍ମୀଙ୍କ ସାତଦିନ ପୂଜା ମଧ୍ୟରେ ପଡୁଥିବା ଗୁରୁବାର ଦିନ ମାଣବସା ଓଷା କରିବା ପାଇଁ ସେବା ପାଇଛନ୍ତି କେନ୍ଦ୍ରାପଡ଼ା ସହରର ମର୍ଦ୍ଦରାଜ ପରିବାର । ଗଜଲକ୍ଷ୍ମୀ ପୂଜା ମଧ୍ୟରେ ଆଜି ଗୁରୁବାର ପଡୁଥିବାରୁ ଅଙ୍କା ଯାଇଛି ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ପାଦଚିହ୍ନ, ପଡିଛି ଝୋଟିଚିତା ଆଉ ତା ସାଙ୍ଗକୁ ଚାଲିଛି ମାଣ ଖଟୁଲିରେ ମା'ଙ୍କ ସ୍ଥାପନା । ସମ୍ପୂର୍ଣ୍ଣ ଓଡ଼ିଆ ବିଧି ମୁତାବକ ମା'ଙ୍କୁ ମାଣ ଖଟୁଳିରେ ବସାଯାଇ ଧାନ ବେଣ୍ଟି, ନୂଆ ବସ୍ତ୍ର, ମୂଳା, ଆଖୁ, କଦଳୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀରେ ସୁସଜ୍ଜିତ କରି ମାଙ୍କୁ ଝୁଣା, ଧୂପ, ଦୀପ ଓ ଭୋଗ ଲାଗି କରାଯାଇଥାଏ । ମଧ୍ୟାହ୍ନରେ ଦହି ପଖାଳ, ଶାଗଭଜା, ଖେଚୁଡ଼ି, ଡାଲମା, କ୍ଷୀରି ଇତ୍ୟାଦି ଭୋଗ ଲାଗି କରି ସନ୍ଧ୍ୟାରେ ମଣ୍ଡା ପିଠା ନୈବେଦ୍ୟ ଅର୍ପଣ କରି ପୂଜା ଶେଷ କରିଥାନ୍ତି ମହିଳା । ସୁନ୍ଦର ଭାବେ ଚିତା ପକାଇବା ସହ ପ୍ରତ୍ୟେକ ବର୍ଷ ଏହି ପୂଜା ମଣ୍ଡପକୁ ମାଣବସା ଗୁରୁବାର ବ୍ରତ କରିବା ପାଇଁ କାହିଁ କେତେ ସ୍ଥାନରୁ ଛୁଟି ଆସିଥାନ୍ତି ମହିଳା ।

ପୂଜା କରିଲେ ମର୍ଦ୍ଦରାଜ ପରିବାର: ସେବା ପାଇଥିବା ମର୍ଦ୍ଦରାଜ ପରିବାରର ଜଣେ ବ୍ୟକ୍ତିଙ୍କ ଦେହାନ୍ତ କାରଣରୁ ଚଳିତବର୍ଷ ଏହି ଅନନ୍ୟ ଓଷା ବନ୍ଦ ହେବା ଆଶଙ୍କା ରହିଥିବା ବେଳେ ପ୍ରତ୍ୟୁଷରୁ ମା' ଲକ୍ଷ୍ମୀଙ୍କ ମାଣବସା ଓଷା କରିବା ପାଇଁ ଆସି ପହଞ୍ଚିଥିଲେ ମର୍ଦ୍ଦରାଜ ପରିବାରର ଭଣଜା ବୋହୂ, ନାତୁଣୀ ଓ ଭଣଜା । ମା' ଗଜଲକ୍ଷ୍ମୀଙ୍କ ପାଖରେ ସମସ୍ତ ପୂଜା ସମ୍ପନ୍ନ କରି ନିଜକୁ କୃତାର୍ଥ ମଣିଛନ୍ତି ଏହି ପରିବାର । ଏହି ସେବା ପାଇବା ପାଇଁ ମର୍ଦ୍ଦରାଜ ପରିବାରକୁ ଦୀର୍ଘ ୮୫ବର୍ଷ ତଳୁ ଅନୁମତି ଦିଆଯାଇଥିବା ବେଳେ ପରିବାରର ଗୁରୁଜନଙ୍କ ଠାରୁ ଏହି ସେବା ପାଇ ଖୁସି ଥିବା କହିଛନ୍ତି ମର୍ଦ୍ଦରାଜ ପରିବାର ।

ଏହା ମଧ୍ୟ ପଢନ୍ତୁ: ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା, ଚିକମିକ୍ ଆଲୋକରେ ଝଲସୁଛି ସହର


ତୁଳସୀ ପତ୍ରରେ କରାଯାଇଥାଏ ପୂଜାର୍ଚ୍ଚନା: ଏହି ଥାନପତି ମଣ୍ଡପରେ ମା' ଲକ୍ଷ୍ମୀଙ୍କୁ ତୁଳସୀପତ୍ରରେ ପୂଜା କରାଯାଉଥିବା ପରମ୍ପରା ରହିଛି । ଏଥିସହ ମା'ଙ୍କର ସନ୍ଧ୍ୟାରେ ପଦ୍ମବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ରହିଥାଏ ଅପୂର୍ବ ଉତ୍ସାହ। ଅଦିନରେ ଅନୁଷ୍ଠିତ ଏହି ନିଆରା ପରମ୍ପରାଗତ ମାଣବସା ଓଷାରେ ନିଜକୁ ସାମିଲ କରି ପାରିଥିବାରୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି ଜଣେ ମହିଳା ।

ଆସନ୍ତାବର୍ଷକୁ ଚାନ୍ଦି ମେଢ: ଆଜି ସନ୍ଧ୍ୟାରେ ଭକ୍ତଙ୍କ ପାଇଁ ହରିହାଟ ହେବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଛନ୍ତି ପୂଜା କମିଟି ସମ୍ପାଦକ। ଏହାସହ ଥାନପତି ମେଢ଼ ପାଇଁ ଆସନ୍ତାବର୍ଷ ଚାନ୍ଦି ମେଢ଼ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ସେହିପରି ଏକମାତ୍ର ଅନୁଷ୍ଠାନ ଭାବେ ପରମ୍ପରା ଓ ନୀତିକୁ ବଜାୟ ରଖି ପାରିଥିବାରୁ ସମ୍ପାଦକ ବହୁତ ଖୁସି ବୋଲି କହିଛନ୍ତି । ଲକ୍ଷ୍ମୀପୂଜା ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରାର ସହର କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ ହେଉଥିବା ଏହି ନିଆରା ପୂଜାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Nov 2, 2023, 5:55 PM IST

ABOUT THE AUTHOR

...view details