ଓଡିଶା

odisha

ETV Bharat / state

ନିଆରା ପରମ୍ପରା, ଲକ୍ଷ୍ମୀପୂଜାରେ ମାଣ ବସାନ୍ତି ମହିଳା - ଚଳଚଞ୍ଚଳ କେନ୍ଦ୍ରାପଡାର ବିଭିନ୍ନ ପୂଜା ମଣ୍ଡପ

ରବିବାର ଠାରୁ ଆରମ୍ଭ ହୋଇଯାଇଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡାର ବିଭିନ୍ନ ପୂଜା ମଣ୍ଡପ । ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ନୂଆ ବସଷ୍ଟାଣ୍ଡସ୍ଥିତ ଥାନପତି ପୂଜା କମିଟିରେ ଗଜଲକ୍ଷ୍ମୀ ପୂଜାରେ ମାଣ ବସାଇ ମାଙ୍କୁ ଆରାଧନା କରାଯାଏ । ଦେଖନ୍ତୁ ଏହି ରିପୋର୍ଟ

କେନ୍ଦ୍ରାପଡାରେ ନିଆରା ପରମ୍ପରା, ଲକ୍ଷ୍ମୀପୂଜାରେ ମାଣ ବସାନ୍ତି ମହିଳା
କେନ୍ଦ୍ରାପଡାରେ ନିଆରା ପରମ୍ପରା, ଲକ୍ଷ୍ମୀପୂଜାରେ ମାଣ ବସାନ୍ତି ମହିଳା

By

Published : Oct 13, 2022, 10:08 PM IST

କେନ୍ଦ୍ରାପଡା:ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । ରବିବାର ଠାରୁ ଆରମ୍ଭ ହୋଇଯାଇଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ।ଏନେଇ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡାର ବିଭିନ୍ନ ପୂଜା ମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ପୂଜା । ଓଡ଼ିଆ ଘରର ବୋହୂମାନେ ସାଧାରଣତଃ ମାର୍ଗଶିର ମାସରେ ମାଣ ବସାଇ ମା'ଲକ୍ଷ୍ମୀଙ୍କୁ ଆରାଧନା କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ନୂଆ ବସଷ୍ଟାଣ୍ଡସ୍ଥିତ ଥାନପତି ପୂଜା କମିଟିରେ ଦେଖିବାକୁ ମିଳେ ଭିନ୍ନ ପରମ୍ପରା । ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ପାଦ ଚିହ୍ନ ସାଙ୍ଗକୁ ଝୋଟି ଚିତା ଆଙ୍କି ଖଟୁଲିରେ ମା'ଙ୍କୁ ସ୍ଥାପନା କରୁଛନ୍ତି କେନ୍ଦ୍ରାପଡାର ମର୍ଦ୍ଦରାଜ ପରିବାର ।

ଲକ୍ଷ୍ମୀପୂଜାରେ ମାଣ ବସାନ୍ତି ମହିଳା

ମାର୍ଗଶିର ଗୁରୁବାର ଭଳି କାର୍ତ୍ତିକ ମାସରେ ମା'ଲକ୍ଷ୍ମୀଙ୍କ ପାଖରେ ମାଣବସାଇ ପୂଜା କରୁଛନ୍ତି ସହରର ମର୍ଦ୍ଦରାଜ ପରିବାର । ଧୂପ, ଦୀପ, ନୈବେଦ୍ୟ ଦେଇ କରାଯାଉଛି ମା'ଙ୍କ ଆରାଧନା । ରାତି ଅଧରୁ ଉଠି ପାହାନ୍ତିଆ ପହରରେ ପହଞ୍ଚିଛନ୍ତି କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଥାନପତି ଗଜଲକ୍ଷ୍ମୀଙ୍କ ନିକଟରେ ଓଡ଼ିଆଣି । ଆଜି ହେଉଛି ପବିତ୍ର ମାଣବସା ଗୁରୁବାର ବ୍ରତ। କାର୍ତ୍ତିକ ମାସରେ ସମ୍ପନ୍ନ ହେବ ମାର୍ଗଶିର ମାସ ଗୁରୁବାର ଓଷାର ସମସ୍ତ ପରମ୍ପରା। ପୂଜା ମଣ୍ଡପରେ ଏହି ପରମ୍ପରା କାହିଁ କେଉଁକାଳରୁ ରହିଆସିଛି । ଆଜିର ଦିନରେ ଝୋଟି ପକାଇବା ପାଇଁ ମହିଳାଙ୍କ ସୁଅ ଛୁଟିଥାଏ ଏହି ମଣ୍ଡପକୁ । ୧୯୩୭ ମସିହାରୁ ମା'ଗଜଲକ୍ଷ୍ମୀଙ୍କ ସାତଦିନ ପୂଜା ମଧ୍ୟରେ ପଡୁଥିବା ଗୁରୁବାର ଦିନ ମାଣବସା ଓଷା କରିବା ପାଇଁ ସେବା ପାଇଛନ୍ତି କେନ୍ଦ୍ରାପଡ଼ା ସହରର ମର୍ଦ୍ଦରାଜ ପରିବାର। ସମ୍ପୂର୍ଣ୍ଣ ଓଡ଼ିଆ ବିଧି ମୁତାବକ ମା'ଙ୍କୁ ମାଣ ଖଟୁଲିରେ ବସାଯାଇ ଧାନ ବେଣ୍ଟି, ନୂଆ ବସ୍ତ୍ର, ମୂଳା, ଆଖୁ, କଦଳୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀରେ ସୁସଜ୍ଜିତ କରି ମାଙ୍କୁ ଝୁଣା, ଧୂପ,ଦୀପ ଓ ଭୋଗ ଲାଗି କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୋଲିସ

ମଧ୍ୟାହ୍ନରେ ଦହି ପଖାଳ, ଶାଗଭଜା, ଖେଚୁଡ଼ି, ଡାଲମା, କ୍ଷୀରି ଇତ୍ୟାଦି ଭୋଗ ଲାଗି କରି ସନ୍ଧ୍ୟାରେ ମଣ୍ଡାପିଠା ନୈବେଦ୍ୟ ଅର୍ପଣ କରି ପୂଜା ଶେଷ କରିଥାନ୍ତି ମହିଳା। ସୁନ୍ଦର ଭାବେ ଚିତା ପକାଇବା ସହ ପ୍ରତ୍ୟେକ ବର୍ଷ ଏହି ପୂଜା ମଣ୍ଡପକୁ ମାଣବସା ଗୁରୁବାର ବ୍ରତ କରିବା ପାଇଁ କାହିଁ କେତେ ସ୍ଥାନରୁ ଛୁଟି ଆସିଥାନ୍ତି ମହିଳା। ସେବା ପାଇଥିବା ମର୍ଦ୍ଦରାଜ ପରିବାରର ବୋହୂମାନେ ଆଜି ପ୍ରତ୍ୟୁଷରୁ ମା'ଲକ୍ଷ୍ମୀଙ୍କ ମାଣବସା ଓଷା କରିବା ପାଇଁ ଆସି ମା'ଙ୍କ ପାଖରେ ସମସ୍ତ ପୂଜା ସମ୍ପନ୍ନ କରିଛନ୍ତି।ଏହି ସେବା ପାଇବା ପାଇଁ ମର୍ଦ୍ଦରାଜ ପରିବାରକୁ ଦୀର୍ଘ ୮୫ବର୍ଷ ତଳୁ ଅନୁମତି ଦିଆଯାଇଥିବା ବେଳେ ପରିବାରର ଗୁରୁଜନଙ୍କ ଠାରୁ ଏହି ସେବା ପାଇ ଖୁସି ଥିବା କହିଛନ୍ତି ମର୍ଦ୍ଦରାଜ ପରିବାର।

ଚଳିତ ବର୍ଷ ବିନାକଟକଣାରେ କେନ୍ଦ୍ରାପଡା ସହରରେ ଧନଯାତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଜି ପୂଜାର ପଞ୍ଚମ ଦିନ ଅର୍ଥାତ ଗୁରୁବାରର ଥାନପତି ମଣ୍ଡପରେ ସ୍ବତନ୍ତ୍ର ଭାବେ ମାଣ ବସାଇ ପୂଜାର୍ଚ୍ଚନା କରାଯାଉଛି । ଏହି ମଣ୍ଡପଟିରେ ମା ଲକ୍ଷ୍ମୀଙ୍କୁ ତୁଳସୀପତ୍ରରେ ପୂଜା କରାଯାଉଥିବା କିମ୍ବଦନ୍ତୀ ରହିଛି। ଏଥିସହ ମା'ଙ୍କର ସନ୍ଧ୍ୟାରେ ପଦ୍ମବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ଅପୂର୍ବ ଉତ୍ସାହ ରହିଥାଏ । ଅଦିନରେ ଅନୁଷ୍ଠିତ ଏହି ନିଆରା ପରମ୍ପରାଗତ ମାଣବସା ଓଷାରେ ନିଜକୁ ସାମିଲ କରି ପାରିଥିବାରୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି ଜଣେ ମହିଳା।

ଏନେଇ ଥାନପତି ପୂଜାକମିଟି ସମ୍ପାଦକ ଅଶୋକ କୁମାର ଲେଙ୍କା କହିଛନ୍ତି ଯେ, "ମା ୧୯୩୭ ମସିହାରୁ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଏହି ପୂଜା ମଣ୍ଡପର ବିଶେଷତ୍ବ ହେଉଛି ଲକ୍ଷ୍ମୀପୂଜା ଭିତରେ ଯେଉଁଦିନ ମାଣବସା ଗୁରୁବାର ପଡେ ସେହିଦିନ ମାଣବସାଯାଇ ପୂଜା କରାଯାଇଥାଏ । ମାର୍ଗଶୀର ଗୁରିବାର ଭଳି ଏହି ପୂଜା କରାଯାଇଥାଏ । ଥାନପତି ମେଢ଼ ପାଇଁ ଆସନ୍ତାବର୍ଷ ଚାନ୍ଦି ମେଢ଼ କରିବାର ଲକ୍ଷ୍ୟ ରଖାଯାଇଛି । ଏକମାତ୍ର ଅନୁଷ୍ଠାନ ଭାବେ ପରମ୍ପରା ଓ ନୀତିକୁ ବଜାୟ ରଖି ପାରିଥିବାରୁ ମୁଁ ବହୁତ ଖୁସି ।"


ଲକ୍ଷ୍ମୀପୂଜା ଶେଷ ହେବାକୁ ଆଉମାତ୍ର ଦୁଇଦିନ ବାକି ରହିଥିବା ବେଳେ ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରାର ସହର କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ ହେଉଥିବା ଏହି ନିଆରା ପୂଜାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details