କେନ୍ଦ୍ରାପଡା: ‘ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଣଜା, ମୁଁ ଆପଣଙ୍କ ପିଲାଙ୍କ ଚାକିରି କରାଇଦେବି, ମୋତେ ଟଙ୍କା ଦିଅନ୍ତୁ ମୁଁ ଚାକିରି ଦେବି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’ ଏମିତି ମିଛ କହି ନିଯୁକ୍ତି ପତ୍ରରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଜାଲ ଦସ୍ତଖତ କରି ଚାକିରି ଦେବ କହି ଟଙ୍କା ଠକିନେଲା ଠକ । ଏଭଳି ଅଭିଯୋଗ ଆସିଛି ପାଟକୁରା ଥାନା ଅନ୍ତର୍ଗତ ତଳକୁସୁମା ଗ୍ରାମରୁ । ଠକାମିର ଶିକାର ହୋଇଛନ୍ତି ଗୋଟିଏ ପରିବାର ତିନି ଭାଇ ଭଉଣୀ ।
ଚାକିରି ଦେବା ଆଳରେ ପ୍ରଥମେ ପରିବାର ସହ ସମ୍ପର୍କ ଯୋଡିବା ପରେ ପିଲାଙ୍କ ଚାକିରି କରାଇଦେବା କହି ମାଆଙ୍କୁ ପ୍ରଲୋଭନ ଦେଖାଇଥିଲା ଠକ ମହେଶ୍ୱର ପ୍ରଧାନ । ପାର୍ବତୀ ବେହେରାଙ୍କ ଝିଅ ସ୍ମୁତିମୟୀ ବେହେରା ଦୁଇପୁଅ ରଶ୍ମିରଞ୍ଜନ ବେହେରା ଏବଂ ସତ୍ୟରଞ୍ଜନ ବେହେରାଙ୍କ ଚାକିରି ଦେବା ପାଇଁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ମହେଶ୍ୱର ପ୍ରଧାନ ନାମକ ଯୁବକ ପ୍ରତିଶୃତି ଦେଇଥିଲା । ପ୍ରତିଶୃତି ପରେ ଚାକିରି ଦେବା ପାଇଁ ଗତ ଫେବୃଆରୀ ମାସରେ ତିନି ଲକ୍ଷ ଟଙ୍କା ମଧ୍ୟ ମାଗିଥିଲା । ଏକକାଳୀନ ତିନିଲକ୍ଷ ଟଙ୍କା ଦେବାପାଇଁ ସମ୍ବଳ ନଥିବାରୁ ଏକ ଲକ୍ଷ ଟଙ୍କା ଦେଇଥିଲେ ପାର୍ବତୀ । କିନ୍ତୁ ଟଙ୍କା ନେବା ପରେ ବିଭିନ୍ନ ବାହାନା କରି ଚାକିରି ଦେବା ପାଇଁ ସମୟ ଗଡ଼ାଇଥିଲା ଠକ ମହେଶ୍ୱର ପ୍ରଧାନ ।