କେନ୍ଦ୍ରାପଡା: ଭାରତବର୍ଷରେ ଏମିତି ଅନେକ ଶକ୍ତିପୀଠ ରହିଛି, ଯାହାର କୀର୍ତ୍ତି ଓ ପରମ୍ପରା ଭିନ୍ନ । ତନ୍ମଧ୍ୟରୁ ଅନ୍ୟତମ ମାଆ ପଞ୍ଚୁବରାହୀଙ୍କ ମନ୍ଦିର । ଲୋକଲୋଚନରେ ଏହି ମନ୍ଦିର ସମ୍ପର୍କରେ କୌଣସି ଉଲ୍ଲେଖ ନଥିବାବେଳେ କେନ୍ଦ୍ରାପଡା ଜିଲ୍ଲାର ସାତଭାୟା ଅଞ୍ଚଳରେ ମା'ଙ୍କ ଅପୂର୍ବ ମହିମା ଓ ଜୟଗାନ ଶୁଣିବାକୁ ମିଳେ । ମା' ପଞ୍ଚୁବରାହୀଙ୍କ ମହିମା ଯେମିତି ଅପାର, ପୂଜା ପଦ୍ଧତି ବି ସେମିତି ଅନନ୍ୟ । ମନ୍ଦିରରେ କେଉଁ ବ୍ରାହ୍ମଣ ନୁହେଁ, କେବଳ ଶବର ବଂଶର ସଧବା ମହିଳା ହିଁ ମାଆଙ୍କୁ ପୂଜା କରିଥାନ୍ତି । ମାଆଙ୍କ ପାଖରେ ଖିରୀ, ଖେଚୁଡୀ ସହ ଆମିଷ ଭୋଗ ଲାଗିବାର ପରମ୍ପରା ରହିଛି । ସେହିପରି ପ୍ରତ୍ୟେକ ମଙ୍ଗଳବାର ଦିନ ମାଆଙ୍କର କୌଣସି ପ୍ରକାର ନୀତିକାନ୍ତି ହୁଏନି । ଏହି ଦିନ ମନ୍ଦିର ଦ୍ବାର ବନ୍ଦ ରହିଥାଏ ।
ମାଆଙ୍କ ଆବିର୍ଭାବ ପଛରେ ଲୋକକଥା:
ମାଆଙ୍କର ଆବିର୍ଭାବକୁ ନେଇ ରହିଛି ଅନେକ ନିଦର୍ଶନ। ପୂଜକ ଆଉ ପୂଜାକୁ ନେଇ ମଧ୍ୟ ଅନେକ କିମ୍ବଦନ୍ତୀ ରହିଛି । କେନ୍ଦ୍ରାପଡା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତରେ କାହିଁ କେଉଁ କାଳରୁ ପୂଜାପାଇ ଆସୁଛନ୍ତି ମା' ପଞ୍ଚୁବରାହୀ । କୁହାଯାଏ, କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜତ୍ୱ ସମୟରେ ସାତଭାୟା ଅଞ୍ଚଳରେ ଥିବା ଘଞ୍ଚ ବନାନୀ ମଧ୍ୟରେ ନିଆଁ ଜଳୁଥିବା ଖବର ମିଳିଥିଲା । ରାଜା ସଙ୍ଗେ ସଙ୍ଗେ ଲୋକ ଲଗାଇ ଜଙ୍ଗଲ ସଫା କରିବା ବେଳେ ନିଆଁ ଜଳୁଥିବା ସ୍ଥାନର ମାଟି ସମ୍ପୂର୍ଣ୍ଣ ଅଲଗା ରହିଥିବା ଦେଖିବାକୁ ମିଳିଥିଲା । ଏମିତିକି ମାଟି ତଳୁ କୀର୍ତ୍ତନ ଶବ୍ଦ ଶୁଣିବାକୁ ପାଇଥିଲେ ଲୋକେ । ରାଜାଙ୍କ ନିର୍ଦ୍ଦେଶରେ ସେହି ସ୍ଥାନଟିର ଖୋଦେଇ କରାଯିବାରୁ ଏକ ଡଙ୍ଗାରେ ୫ ମୂର୍ତ୍ତି ବସିଥିବା ଦେଖିବାକୁ ମିଳିଥିଲା । ଏହି ପାଞ୍ଚ ମୂର୍ତ୍ତିଙ୍କ ନାମ ଯଥାକ୍ରମେ ପଞ୍ଚୁବରାହୀ, ଜଞ୍ଜାଳି, ବିମଳି, କମଳି, ବାଟକୁମାରୀ ।
ଏହାପରେ ରାଜା ଉକ୍ତ ସ୍ଥାନରେ ଏକ ଧୂଳି ଘର(ଚାଳ ଛପର) ନିର୍ମାଣ କରି ମାଆଙ୍କ ପୂଜା ପାଇଁ ବ୍ରାହ୍ମଣ ନିଯୁକ୍ତ କରିଥିଲେ । କିନ୍ତୁ ବ୍ରାହ୍ମଣ ମା' ପଞ୍ଚୁବରାହୀଙ୍କ ପୂଜାରେ ବିଘ୍ନ ଘଟାଇବାରୁ ଅଭିଶାପ ଦେଇଥିଲେ ମାଆ । ଉକ୍ତ ପୂଜକଙ୍କ ମସ୍ତକ ଏବଂ କଟିଦେଶ(ଗଣ୍ଡି) ପର୍ଯ୍ୟନ୍ତ ଅଂଶକୁ କ୍ରୋଧରେ ମାଆ ପାଷାଣ କରିଦେଇଥିଲେ । ଆଉ ସେହି ଦିନ ରାତିରେ ପୂଜା ପାଇଁ ଜାରା ଶବର ସମ୍ପ୍ରଦାୟର ମହିଳା ପୂଜକଙ୍କୁ ନିଯୁକ୍ତି କରିବାକୁ ରାଜାଙ୍କୁ ସ୍ୱପ୍ନାଦେଶ କରିଥିଲେ । ହେଲେ ଜାରା ଶବର ବଂଶଧର ଲୋକେ ଏହି ସ୍ଥାନରେ ନଥିବା କାରଣରୁ ଯାଜପୁରରୁ ଉକ୍ତ ସମ୍ପ୍ରଦାୟର ମହିଳାଙ୍କୁ ପୂଜା ପାଇଁ ରାଜା ସାତଭାୟାର ଆଣି ଥଇଥାନ କରିଥିଲେ ।