କେନ୍ଦ୍ରାପଡା: ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ପଥର ଓ ସ୍ପର୍ ପ୍ୟାକିଂ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ନିମ୍ନମାନର ପଥର ପ୍ୟାକିଂ କାର୍ଯ୍ୟ ଯୋଗୁଁ ବନ୍ୟା ଆସିଲେ ତାହା ନଦୀ ଗର୍ଭକୁ ଚାଲି ଯାଇଥାଏ । ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତର ସାହୁପଡା ଗ୍ରାମଟି ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଳେ ପଥର ପ୍ୟାକିଂ ପାଇଁ ଦୀର୍ଘଦିନ ହେବ ଦାବି କରି ଆସୁଥିଲେ ଗ୍ରାମବାସୀ । ଏନେଇ ତଟ ବନ୍ଧ ବିଭାଗ ପକ୍ଷରୁ 10 କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତାହା ନିମ୍ନମାନର ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ବ୍ରାହ୍ମଣୀ ନଦୀର ଅତଡା ଧାରରେ ଝୁଲି ରହିଛି ସାହୁପଡ଼ା ଗାଁ । ନଦୀନାଳ ଘେରା ଅଞ୍ଚଳ ଭାବେ ପରିଚିତ ସାହୁପଡା ଗ୍ରାମଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ । ଗ୍ରାମରେ ପ୍ରାୟ ଦୁଇଶହ ପରିବାର ବସବାସ କରୁଥିବା ବେଳେ ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ସେମାନଙ୍କ ପାଇଁ ବିପଦ ପାଲଟିଛି । ନଦୀ ବାରମ୍ବାର ଗତିପଥ ପରିବର୍ତ୍ତନ କରୁଥିବାରୁ ଅନେକ ଘର ନଦୀରେ ଲୀନ ହୋଇ ଯାଇଥିବା ବେଳେ ଏବେ ଆହୁରି ଅନେକ ଘର ନଦୀ ଆଁକୁ ଚାଲି ଯିବାର ଭୟ ସୃଷ୍ଟି ହୋଇଛି । ଏଣୁ ପଥର ପ୍ୟାକିଂ ପାଇଁ ଦାବି ପରେ ଆରମ୍ଭ ହୋଇଥିଲା କାମ । କିନ୍ତୁ ଏହି କାର୍ଯ୍ୟ କରୁଥିବା ଠିକାଦାର ସାହୁପଡାବାସୀଙ୍କ ଜୀବିକା କଥା ଭୁଲିଯାଇ ନିଜ ଜୀବିକା କିପରି ହେବ ସେନେଇ ଚିନ୍ତା କରୁଥିବା ଅଭିଯୋଗ ହୋଇଛି ।