କେନ୍ଦ୍ରାପଡା: ସରକାରୀ ସ୍କୁଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ ସରକାରୀ ସ୍ତରରେ ଅନେକ ଉଦ୍ୟମ କରାଯାଉଛି। ସରକାରୀ ଅଧିକାରୀଙ୍କ ଖାମଖିଆଲ ନିତୀ ଯୋଗୁଁ ସରକାରୀ ଅର୍ଥ ବାଟମାରଣା ହେଉଛି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରୁ। ହାତ ମାରିଲେ ଉଠି ଯାଉଛି କଂକ୍ରିଟ । ବାଲିରେ ଧାର୍ଯ୍ୟ ଅନୁପାତ ଠାରୁ ବହୁ କମ୍ ସିମେଣ୍ଟ ମିଶାଯାଇ ନିର୍ମାଣ ହୋଇଛି ଶ୍ରେଣୀଗୃହ । ଏଭଳି ନିମ୍ନ ମାନର କାମ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ବରାହିଲୋ-ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟରେ।
ଅଦୃଶ୍ୟ ଠିକାଦାର ବିଦ୍ୟାଳୟ ନିର୍ମାଣ ଘଟଣା, ଟିସି କହିଲେ ଠିକରେ ହୋଇଛି କାମ ତେବେ ଏହି ନିମ୍ନମାନର ବିଦ୍ୟାଳୟ ଗୃହ ନିର୍ମାଣ ସମ୍ପର୍କରେ ଇଟିଭି ଭାରତରେ ଗତ ୯ ତାରିଖ ଦିନ "ଅଦୃଶ୍ୟ ଠିକାଦାରଙ୍କ କରାମତି,ହାତ ମାରିଲେ ଉଠିଯାଉଛି କଂକ୍ରିଟ" ଶୀର୍ଷକ ଖବର ପ୍ରସାରିତ ହୋଇଥିଲା। ଏନେଇ ପରେ ସାମ୍ନାକୁ ଆସିଛି ଏକ ନୂଆ ଟ୍ଵିଷ୍ଟ। ତେବେ ୬ଲକ୍ଷ ୧୫ ହଜାର ଟଙ୍କାର ବିଦ୍ୟାଳୟ ନିର୍ମାଣ କାର୍ଯ୍ୟଟି ବିଭାଗୀୟ ଅଧିକାରୀଙ୍କ ନାମରେ ଥିବା ବେଳେ ଏହାକୁ ସବ୍ ଠିକାଦାର ଚୟନ କରାଯାଇ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଥିବା କହିଛନ୍ତି ଖୋଦ ବୈଷୟିକ ପରାମର୍ଶଦାତା।
ଏହା ମଧ୍ୟ ପଢ଼ନ୍ତୁ :ଅଦୃଶ୍ୟ ଠିକାଦାରଙ୍କ କରାମତି, ହାତ ମାରିଲେ ଉଠି ଯାଉଛି କଂକ୍ରିଟ
ଏଥିସହ ବୈଷୟିକ ପରାମର୍ଶଦାତା ଅନୀଲ ମହାନ୍ତିଙ୍କ କହିବାନୁଯାୟୀ ଏହି ବରାହିଲୋ-ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ୨୦୧୬ରେ ଅର୍ଥ ମଞ୍ଜୁର ହୋଇ ଫେରିଯାଇଥିଲା। ତେବେ ସ୍ଥାନୀୟ ଜନସାଧାରଣ ଓ ପରିଚାଳନା କମିଟିର ସଭାପତିଙ୍କ ଅନୁରୋଧ କ୍ରମେ ପୁନର୍ବାର ଏହି କାମ ଆରମ୍ଭ କରାଯାଇଥିଲା। ହେଲେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆବଶ୍ୟକ ପରିମାଣର ସ୍ଥାନ ଅଭାବ ହେବାରୁ ବାଧ୍ୟହୋଇ ଏକ ଖାଲ ସ୍ଥାନରେ ସମସ୍ତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଘର ନିର୍ମାଣ ହୋଇଥିଲା। ଏହି ନିର୍ମାଣ ଦାୟିତ୍ବ ନିଜେ ଅନୀଲ ମହାନ୍ତିଙ୍କ ନାମରେ ରହିଥିବା ବେଳେ ଦୁଇଜଣ ଠିକାଦାର ଚୟନ କରି ସେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏନେଇ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ କାମ ବନ୍ଦ କରିଥିବା ସୂଚନା ମିଳିଛି ।
ଅନ୍ୟପଟେ ବୈଷୟିକ ପରାମର୍ଶଦାତା ଅନୀଲ କିନ୍ତୁ ଏହାକୁ ମାନିବାକୁ ନାରାଜ । ସେ କହିଛନ୍ତି, "ସବୁକିଛି ଠିକ୍ ଠାକ୍ ଅଛି । ତେବେ ଠିକ୍ ଭାବେ ପାଣି ନପଡ଼ିବାରୁ ମେଜିଆରେ ସମସ୍ୟା ହୋଇଥିଲା । ଏହାର ସମାଧାନ କରାଯିବ । କୌଣସି ପ୍ରକାରର ଖରାପ କାମ ହୋଇନାହିଁ ।" ୬ ଲକ୍ଷରୁ ଅଧିକ ଟଙ୍କାର କାମ ବିନା ସୂଚନା ଫଳକରେ କରାଯାଉଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, "ସୂଚନା ଫଳକ ପାଇଁ କୌଣସି ବ୍ୟୟ ଅଟକଳ ନଥିବାରୁ ସୂଚନା ଫଳକ ନିର୍ମାଣ ହୋଇନଥିଲା ।" ତେବେ ଏଠାରେ ପ୍ରଶ୍ନ ଉଠୁଛି ସମସ୍ତ ସରକାରୀ କାମରେ ସୂଚନା ଫଳକ ବାଧ୍ୟତାମୂଳକ ହୋଇଥିବା ବେଳେ ଏହି କାମରେ ଏପରିକି ସର୍ବଶିକ୍ଷା ଅଭିଯାନର କୌଣସି ନିର୍ମାଣ କାମରେ ସେମିତି କିଛି ବ୍ୟବସ୍ଥା ନାହିଁ ବୋଲି ବୈଷୟିକ ପରାମର୍ଶଦାତା ରୋକଠୋକ ଉତ୍ତର ଦେଇଛନ୍ତି ।
ଇଟିଭି ଭାରତ , କେନ୍ଦ୍ରାପଡା