କେନ୍ଦ୍ରାପଡ଼ା: ଟ୍ରାନ୍ସଫର୍ମର ଚୋରି କରିବା ବେଳେ ଫେଲ ମାରିଲା ଉଦ୍ୟମ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା କଳପଡା ଦଳିତସାହିରୁ ୨୫ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରିବାକୁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିବାରୁ ଦୁର୍ବୃତ୍ତମାନେ କାରରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ସେମାନେ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି ।
ଘଟଣା ମୁତାବକ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗ୍ରାମରେ ପଶି ୨୫ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରିବାକୁ ଉଦ୍ୟମ କରୁଥିଲେ। ହଠାତ ବିଜୁଳି ଚାଲିଯିବାରୁ ଗ୍ରାମବାସୀ ଉଠିପଡି ବାହାରକୁ ଆସି ଦେଖିଥିଲେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରଟିକୁ ବିଦ୍ୟୁତ ଖୁଣ୍ଟରୁ ତଳକୁ ଖସାଇ ଦେଇଥିଲେ। ଗ୍ରାମବାସୀଙ୍କୁ ଦେଖି ଉକ୍ତ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରଟିକୁ ଛାଡି ସାଙ୍ଗରେ ଆଣିଥିବା OD05Q 9414 ଇଣ୍ଡିଗୋ କାରରେ ସେଠାରୁ ପଳାଇଥିଲେ। ଗାଡ଼ିର ବେଗ ଦ୍ରୁତ ଗତିରେ ଥିବାରୁ ଘଣ୍ଟିଆପଲ୍ଲୀ ଗ୍ରାମ ନିକଟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ କିଛି ଲୋକେ ସେମାନଙ୍କୁ ଗୋଡ଼ାଇବା ବେଳେ ଆହତ ଅବସ୍ଥାରେ ଗାଡି ଛାଡି ପଳାଇ ଯିବାରେ ସକ୍ଷମ ହୋଇଥିଲେ ଲୁଟେରା ଗ୍ୟାଙ୍ଗ।