କେନ୍ଦ୍ରାପଡା:ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଠାରୁ ଲୁଟ କରିବାକୁ ଉଦ୍ୟମ । ବିଫଳ ହେବାରୁ ଫାଙ୍କା ଗୁଳି ଚଳାଇ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ଏହିଭଳି ଘଟଣା ଘଟିଛି କେନ୍ଦ୍ରାପଡା ଆଳି ଥାନା ଅନ୍ତର୍ଗତ ବାଟିପଡା ପଞ୍ଚାୟତ ମହାଦେଇପାଟଣା ଛକରେ । ମା' ଶାରଳା ଜୁଏଲର୍ସର ମାଲିକ ରବିନ୍ଦ୍ର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁଙ୍କ ଠାରୁ ସୁନା ଲୁଟ କରିବାରୁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ ।
ମିଳିଥିବା ସୂଚନା ଅନୁଯାୟୀ, ମହାଦେଇପାଟଣା ଛକରେ ଥିବା ମା' ଶାରଳା ଜୁଏଲର୍ସର ମାଲିକଙ୍କ ପୁଅ ଜିତେନ୍ଦ୍ର ସାହୁ ଗତକାଲି (ଶନିବାର) ସକାଳେ ଦୋକାନ ଖୋଲିବାକୁ ଯାଇଥିଲେ । ଏହି ସମୟରେ 3 ଜଣ ଦୁର୍ବୃତ୍ତ ଲୁଟ ଉଦେଶ୍ୟରେ ଦୋକାନ ଭିତରକୁ ପଶି ଆସି ଜିତେନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତ ଅଳଙ୍କାର ରଖାଯାଇଥିବା ଲକର ଚାବି ମାଗିଥିଲେ । କିନ୍ତୁ ଜିତେନ୍ଦ୍ର ଏହାକୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନଙ୍କ ସହ ତାଙ୍କର ହାତାହାତି ହୋଇଥିଲା । ଏହାପରେ ଦୁର୍ବୃତ୍ତ ମାନେ ତାଙ୍କୁ ବନ୍ଧୁକରେ ଆକ୍ରମଣ କରିବାରୁ ଜିତେନ୍ଦ୍ର ଏସିଡ ବୋତଲ ଧରି ଫୋପାଡ଼ିବାକୁ ଉଦ୍ୟମ କରିଥିଲେ । ଭୟରେ ଦୁର୍ବୃତ୍ତ ମାନେ ତିନି ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।
ଏନେଇ ଖବର ପାଇ ଆଳି ପୋଲିସ, ପଟ୍ଟାମୁଣ୍ଡାଇ ଏସଡିପିଓ, ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ଦୁର୍ବୃତ୍ତମାନେ ହାତରେ ବନ୍ଧୁକ ଧରିଥିବା ଫଟୋ ସିସି କ୍ୟାମେରାରେ କଏଦ ହୋଇଥିବା ବେଳେ ପୋଲିସକୁ ତଦନ୍ତ ଜାରି ରଖିଛି । ତେବେ ଦୁର୍ବୃତ୍ତ ମାନଙ୍କ ପରିଚୟ ମିଳିନଥିବା ବେଳେ ସିସିଟିଭି ଆଧାରରେ ପୋଲିସ ତଦନ୍ତ କରୁଛି ।