କେନ୍ଦ୍ରାପଡା: ଜିଲ୍ଲାର କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଘାଟ ପାଖରେ ହାଇୱା ଟ୍ରକ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଲୁଟ ହୋଇଥିଲା । ତେବେ ଏହି ଘଟଣାରେ 5 ଜଣ ଡକାୟତଙ୍କୁ ରାଜକନିକା ଥାନା ପୋଲିସ ଗିରଫ କରିଛି ।
ଗିରଫ ଲୁଟେରାଙ୍କଠାରୁ ଏକ ବୋଲେରୋ ଗାଡି, 2ଟି ବାଇକ,1 ହଜାର ଟଙ୍କା ଓ ମୋବାଇଲ ସହ ଏକ ଭୁଜାଲିକୁ ଜବତ କରିଛି ପୋଲିସ । ଡକାୟତମାନଙ୍କ ମଧ୍ୟରେ 2 ଜଣ ନାବାଳକ ଥିବା ବେଳେ 3 ଜଣ ସାବାଳକ ରହିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ାର ଆଡ଼ିସିନାଲ ଏସପି ସୂଚନା ଦେଇଛନ୍ତି । ଏହି 5 ଜଣିଆ ଡକାୟତି ଦଳ ଗତ 17 ତାରିଖ ରାତିରେ କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଘାଟ ପାଖରେ ଚାନ୍ଦବାଲି ଆଡୁ ଆସୁଥିବା ଏକ ହାଇୱା ଟ୍ରକକୁ ଅଟକାଇ ଭୁଜାଲି ଦେଖାଇ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ଏନେଇ ଗାଡି ଡ୍ରାଇଭର ସେକ ମୁନା ରାଜକନିକା ଥାନାରେ ଅଭିଯୋଗ କରିଥିଲେ।