କେନ୍ଦ୍ରାପଡ଼ା:ବୁଲା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି କେନ୍ଦ୍ରାପଡ଼ା ସହର। ପୌରପାଳିକାକୁ ୧୫୪ ବର୍ଷ ଚାଲିଥିବାବେଳେ, ସହରକୁ ଦେଖିଲେ କେହି ଏହା ପୁରାତନ ସହର ବୋଲି ନକହି 'ଗାଈଗୁହାଳ'ର ସହର କହିବାକୁ ବାଧ୍ୟ ହେବେ । ଦୀର୍ଘବର୍ଷ ଧରି ବୋର୍ଡ ନଥାଇ ଯେଉଁ ସ୍ଥିତି ରହିଥିଲା ଏବେ ନୂଆ ବୋର୍ଡ ଗଠନ ପରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅନ୍ୟପଟେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋୖରାଧ୍ୟକ୍ଷା ।
୨୦୦୯ ମସିହାରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ସହରକୁ ଗୁରୁଗାଓଁ କରିବାର ସ୍ୱପ୍ନ ଦେଖାଇଥିବା ବେଳେ ବର୍ତ୍ତମାନ ସାଂସଦ ୨୦୧୯ ନିର୍ବାଚନ ରାଲିରେ କେନ୍ଦ୍ରାପଡ଼ାକୁ ଗୁରୁଗାଓଁ ଭଳି ନକରି କେନ୍ଦ୍ରାପଡ଼ାକୁ ଏଭଳି କରାଯିବ ଯେ ଗୁରୁଗାଓଁ ଏଠୁ ଶିଖିବ ବୋଲି କହିଥିଲେ । ତେବେ ୨୦୦୯ରୁ ୨୦୨୨ ଦୀର୍ଘ ୧୩ ବର୍ଷ ଧରି ଏହା ଗୁରୁଗାଓଁ ତ ହୋଇନି କି ଗୁରୁଗାଓଁକୁ ଶିଖାଇବା ଭଳି କୌଣସି ବିକାଶ ମଧ୍ୟ ହୋଇନଥିବାବେଳେ, ଗୁରୁଗାଓଁ ବଦଳରେ ବୁଲା ଗାଈ ଏବଂ ଗୋରୁଙ୍କ ଗାଓଁ(ସହର)ପାଲଟିଛି କେନ୍ଦ୍ରାପଡ଼ା ସହର । ସକାଳ ଠାରୁ ରାତି ଯେତେବେଳେ ବି ଦେଖିବେ ସହରର ୧ରୁ ଆରମ୍ଭ କରି ୨୧ନଂ ୱାର୍ଡ ପର୍ଯ୍ୟନ୍ତ ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ରାସ୍ତା ।
ସହରର ତିନିମୁହାଣୀ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, କାକଟ ଛକ, ବଡହାଟ, ସାନ୍ତସାହି, ସାନମଙ୍ଗଳା, ଇଚ୍ଛାପୁର ଆଦି ଜନଗହଳି ସ୍ଥାନ ମାନଙ୍କରେ ଜମୁଛି ଗାଈଗୋରୁଙ୍କ ଭିଡ଼ । ସହରର ଜନସଂଖ୍ୟା ୨ଲକ୍ଷରୁ ଅଧିକ ହୋଇଥିବା ବେଳେ ସହରକୁ ପ୍ରତ୍ୟେହ କୌଣସି ନା କୌଣସି କାମରେ ଆସୁଥିବା ୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଏହି ବୁଲା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣାର ଶିକାର ହେବାକୁ ପଡୁଛି । ଦୈନିକ ଛୋଟବଡ଼ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଯିବା ଥୟ ହେଉଥିବା ବେଳେ ଗାଈ ମାନଙ୍କୁ ସହରର ରାସ୍ତାରେ ଛାଡି ଏହାର ମାଲିକ ମାନେ ମଧ୍ୟ ବେଫିକର । କେବଳ ସକାଳୁ ଗାଈ ମାଲିକମାନେ ଏମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରିବା ପରେ ଏମାନଙ୍କୁ ପୁନର୍ବାର ସହରର ରାସ୍ତା ଦେଖାଇ ଦେଉଥିବା ପ୍ରମାଣିତ ହୁଏ ।