କେନ୍ଦ୍ରାପଡା: ବିଦାୟ ନେଇଛନ୍ତି ମହିଷାମର୍ଦ୍ଦିନୀ, ଆଉ ଆସୁଛନ୍ତି ଧନଦେବୀ ଗଜଲକ୍ଷ୍ମୀ । ମା’ଙ୍କ ଆବାହନ ପାଇଁ ସଜେଇ ହେଉଛି କେନ୍ଦ୍ରାପଡା ସହର । ଆକର୍ଷଣୀୟ ତୋରଣ ସାଙ୍ଗକୁ ମଣ୍ଡପ ସାଜସଜାରେ ବ୍ୟସ୍ତ କାରିଗର । ଧନଲକ୍ଷ୍ମୀଙ୍କ ପୂଜା ପାଇଁ ଚଳିତ ବର୍ଷ କେନ୍ଦ୍ରାପଡା ସହରରେ 70ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମହାଲକ୍ଷ୍ମୀ । ଏହାସହ ଜିଲ୍ଲାର ଡେରାବିଶ, ମାର୍ଶାଘାଇ, ମହାକାଳପଡା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁରରେ ୧୫୦ରୁ ଅଧିକ ମେଢରେ ପୂଜା ପାଇବେ ମା’ ମହାଲକ୍ଷ୍ମୀ ।
ମା’ଙ୍କ ସ୍ବାଗତ ପାଇଁ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସେହିଭଳି ତୋରଣ ମଣ୍ଡପ ସାଜସଜ୍ଜାରେ ବ୍ୟସ୍ତ ଜିଲ୍ଲାର ସମସ୍ତ ପୂଜା କମିଟି । ବିଭିନ୍ନ ମଣ୍ଡପରେ ଆସନ୍ତାକାଲି ଠାରୁ ପୂଜା ଆରମ୍ଭ ହେବା ସହ ଅକ୍ଟୋବର ୨୦ ଓ ୨୧ ତାରିଖରେ ମେଲଣ ଓ ଭଷାଣି ଉତ୍ସବ ପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାସହ ପ୍ରାକୃତିକ ରଙ୍ଗ ବ୍ୟବହାର ସହିତ ପୂଜା ମଣ୍ଡପ ଗୁଡିକୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରି ପ୍ଲାଷ୍ଟିକ ଫ୍ରି ଉପରେ ଧ୍ୟାନ ଦେଇ ପୁରସ୍କୃତ କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି ।