କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ଜାରି କରିଥିବା ସତ୍ୟପାଠ ଫର୍ମାଟକୁ ତ୍ରୁଟିଯୁକ୍ତ ଦର୍ଶାଇଲେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର । ଏଥିସହ ଏହି ଫର୍ମାଟକୁ ବଦଳାଇବା ପାଇଁ କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଆଇନଜୀବୀଙ୍କ କହିବା ଅନୁଯାୟୀ, ଚଳିତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାଙ୍କ ନାମାଙ୍କନ ପତ୍ରରେ ୮ପୃଷ୍ଠା ସମ୍ବଳିତ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିୟମ ରହିଛି । ତେବେ ଏହି ସତ୍ୟପାଠ ଫର୍ମାଟରେ ଦୁଇଜଣ "ସାକ୍ଷୀ" ପଡିବା ପାଇଁ ଉଲ୍ଲେଖ ରହିଛି, ଜଣେ ନୋଟାରିଆନ କିମ୍ବା ମାଜିଷ୍ଟ୍ରେଟଙ୍କ ଆଗରେ ଏହି ସତ୍ୟପାଠ କରାଯାଉ ଥିବାବେଳେ ସାକ୍ଷୀଙ୍କ ଆବଶ୍ୟକତା କଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ । କେବଳ ଖର୍ଦ୍ଦିବିକ୍ରି, ନେଣଦେଣ, ଟଙ୍କାପଇସା କାରବାରରେ ସାକ୍ଷୀଙ୍କ ଆବଶ୍ୟକତା ରହି ଥିବାବେଳେ ନିର୍ବାଚନୀ ସତ୍ୟପାଠରେ ସାକ୍ଷୀଙ୍କ ଆବଶ୍ୟକତା ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ବୋଲି କହିବା ସହ ତୁରନ୍ତ ସତ୍ୟପାଠ ଫର୍ମାଟରେ ସାକ୍ଷୀଙ୍କ ନାମ ହଟାଇବାକୁ ଦାବି କରିଛନ୍ତି ।