କେନ୍ଦ୍ରାପଡ଼ା:ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ରାଜ୍ୟ ସରକାର ଭଳିକି ଭଳି ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ତୃଣମୂଳସ୍ଥରରେ ଏହି ସବୁ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିପାରୁନି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ସୁଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଦେଖିଲେ ସରକାର ଯୋଜନା ଉପରେ ପ୍ରଶ୍ନ ଉଠାଇବାକୁ ଯେକେହି ବି ବାଧ୍ୟ ହେବେ । ଏହି ସ୍କୁଲ୍ରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି (lack of basic facilities in Sushridevi High School) । ଏହାକୁ ନେଇ ଛାତ୍ରଛାତ୍ରୀ ପାଠପଢ଼ା ବନ୍ଦ କରି ୬ ଦିନ ହେଲା ଧାରଣାରେ ବସିଛନ୍ତି ।
କାମ କରିବା ନାଁ ଲକ୍ଷଲକ୍ଷ ଟଙ୍କା ଚଳୁ, ସମସ୍ୟା ଘେରରେ ସୁଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ
ଅସ୍ବାସ୍ଥ୍ୟକର ପରିବେଶରେ ଏଠାରେ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି । ବିଦ୍ୟାଳୟ କ୍ୟାମ୍ପସରେ ଥିବା ଜରିସାହି ନୋଡାଲ ୟୁପି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପରିତ୍ୟକ୍ତ ଘରେ ରୋଷେଇ କରାଯାଉଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ 177 ଜଣ ଛାତ୍ରଛାତ୍ରୀ ଏଠାରେ ପଢ଼ୁଥିବା ବେଳେ ଅଷ୍ଟମ ଶ୍ରେଣୀରେ ୨୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।
ଡାଇନିଂ ହଲ୍ ନାମରେ ଦୁର୍ନୀତି
ଏହି ବିଦ୍ୟାଳୟରେ 204 ଛାତ୍ରଛାତ୍ରୀଙ୍କ ପାଇଁ ବସି ଖାଇବାର ସୁବିଧା ନାହିଁ । ଦ୍ୟାଳୟ ବାରଣ୍ଡା ସେମାନଙ୍କ ପାଇଁ ଡାଇନିଂ ହଲ ପାଲଟିଛି । ଡାଇନିଂ ହଲ୍ ନିର୍ମାଣ ନାଁରେ ଦୁଇ ଦୁଇଥର ଭିନ୍ନ ଆଇଡିରେ ମଷ୍ଟରରୋଲ ପ୍ରସ୍ତୁତ କରାଯାଇଛି ବେଳେ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ । ନ୍ନଭିନ୍ନ ମଷ୍ଟର୍ ରୋଲ୍ରେ କାମ ଦର୍ଶାଯାଇଥିବା ବେଳେ ବିଦ୍ୟାଳୟର ସମସ୍ୟା ସମସ୍ୟାରେ ହିଁ ରହିଯାଇଛି ।
ସମସ୍ୟାରେ ପରିପୂର୍ଣ୍ଣ ସ୍କୁଲ୍
ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶୌଚାଳୟର ବ୍ୟବସ୍ଥା ନାହିଁ । ଫଳରେ ଛାତ୍ରଛାତ୍ରୀ ବାହାରେ ଶୌଚ ହେବା ସହ ରୋଗାକ୍ରାନ୍ତ ହେଉଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ପିଲାଏ ପାଠ ପଢ଼ିବା ପାଇଁ ଏଠାରେ ଉଚିତ ପରିବେଶ ପାଉନାହାନ୍ତି ।
ସ୍କୁଲ୍ କାମରେ ଦୁର୍ନୀତି
ୱେବସାଇଟ ତଥ୍ୟ ଅନୁଯାୟୀ,ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଡାଇନିଂ ହଲ କରାଯାଇଛି । ହେଲେ ସ୍କୁଲ୍ରେ କୌଣସି ଡାଇନିଂ ନାହିଁ । ବିଦ୍ୟାଳୟ ପରିସରରେ ଟାଇଲ ପକାଇବା ବାବଦକୁ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଶୌଚାଳୟ ନିର୍ମାଣ ନାଁରେ ମଧ୍ୟ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଅଭିଭାବକ । ସେପଟେ ବିଦ୍ୟାଳୟରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ହେବାପରେ ସମ୍ମେଟିଭ୍ ପରୀକ୍ଷାରେ ନମ୍ବର କାଟି ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ଧମକ ଦେଇଛନ୍ତି ।
ଏହାକୁ ନେଇ ଅଭିଭାବକ କହିଛନ୍ତି, "ସ୍କୁଲ୍ରେ ଶିକ୍ଷକ ଅଭାବରୁ ପିଲାଙ୍କ ପାଠଢ଼ା ବ୍ୟାଘାତ ଘଟୁଛି । ଶୌଚାଳୟ ନଥିବାରୁ ଝିଅମାନେ ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି । ମୋ ଏଥିପାଇଁ ମୋ ଝିଅର ଦେହ ଖରାପ ହୋଇଥିଲା । ସ୍କୁଲ୍ ଭିତରେ ପାଣି ଜମି ରହୁଛି । ପାଣି ନିଷ୍କାସନ ବ୍ୟବସ୍ଥା ହେଉନି । ବର୍ଷା ଦିନେ ଓଦା ହୋଇ ଛାତ୍ରଛାତ୍ରୀଙ୍କ ଦେହ ଖରାପ ହେଉଛି । ଅତି ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯାଉଛି । ଯେଉଁ ଦୁର୍ନୀତି ହୋଇଛି ତାହାର ତଦନ୍ତ କରାଯାଉ ।"
ମୁହଁ ଖୋଲି ଆକ୍ରୋଶର ଶିକାର ହେଲେ ଶିକ୍ଷକ
ସୁଶ୍ରୀଦେବୀ ବିଦ୍ୟାଳୟ ପରିସରରେ ହୋଇଥିବା କାମରେ ଦୁର୍ନୀତି ହୋଇଛି । ଏ ସମ୍ପର୍କରେ ମୁହଁ ଖୋଲି ଜିଲ୍ଲାପାଳଙ୍କୁ ସମସ୍ତ କାଗଜପତ୍ର ପ୍ରଦାନ କରିବାରୁ ଜଣେ ପୂର୍ବତନ ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ତା ସହିତ ତାଙ୍କୁ ଦୁଇ ଘଣ୍ଟା ଧରି ଥାନାରେ ଅଟକ ରହିବାକୁ ପଡ଼ିଥିଲା ।
ଏହାକୁ ନେଇ ଶିକ୍ଷକ ବିକ୍ରମ କେଶରୀ ପରିଡ଼ା କହିଛନ୍ତି, "ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିବି ଓ ଯେଉଁମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ସେମାନଙ୍କୁ କୋର୍ଟର ପରିସୀମାକୁ ଟାଣିବି । ଜିଲ୍ଲାପାଳ ସ୍କୁଲ୍ରେ ହୋଇଥିବା କାମ ଦେଖିବାକୁ ଆସିଥିଲେ । ସ୍କୁଲ୍ରେ ହୋଇଥିବା ଦୁର୍ନୀତିକୁ ନେଇ ମୁଁ ଜିଲ୍ଲାପାଳଙ୍କୁ ଜଣାଇଥିଲି । ଜିଲ୍ଲାପାଳ ଯାହା ଜାଣିବାକୁ ଚାହୁଁଥିଲେ ମୁଁ ସେହି ତଥ୍ୟ ଦେଲି । ଘର ନକରି ଘର ବିଲ୍ ହୋଇଛି । କାଗଜପତ୍ରରେ ଏମ୍ଡିଏମ୍ ହଲ୍ ହୋଇଛି । ଏହା ନିର୍ମାଣ ହୋଇଥିବା ନେଇ ଦର୍ଶାଯାଇଛି ।"
ସମସ୍ୟାର ହେବ ସମାଧାନ ?
ସୁଶ୍ରୀଦେବୀ ସ୍କୁଲ୍ରେ ଥିବା ସମସ୍ୟାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ କହିଛନ୍ତି, "ଏବେ କେତେକ ଶିକ୍ଷକ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ପାଇଥିବା ଶିକ୍ଷକ ନୂଆ ବିଦ୍ୟାଳୟରେ ଯୋଗ ଦେଇ ସାରିଲେଣି । ଅନଲାଇନ ଟ୍ରାନ୍ସଫର୍ ପୋର୍ଟାଲ ଖୋଲିବା ପରେ ଜିଲ୍ଲାରେ ଶିକ୍ଷକ ଅଭାବ ଦୂର ହେବ । ସ୍କୁଲ୍ରେ ଦୁର୍ନୀତି ହୋଇଥିପବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ । ଧାରଣାରେ ବସିଲେ କୌଣସି ସମସ୍ୟାର ସମାଧାନ ହେବନି ।"
ବିଦ୍ୟାଳୟ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଆଉ ଅନ୍ୟପଟେ ଦୁର୍ନୀତି । ଛାତ୍ରଛାତ୍ରୀଙ୍କ ଧାରଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଉନାହିଁ । କେବେ ଏହି ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।