କେନ୍ଦ୍ରାପଡ଼ା: ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରି ମନମାନୀ କରୁଛନ୍ତି ବ୍ଲକ ପ୍ରଶାସନ । ମହିଳା ସରପଞ୍ଚ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋରନ୍ଦ ସରପଞ୍ଚ ଓ ପଞ୍ଚାୟତବାସୀଙ୍କ ଧାରଣା ଓ ଆମରଣ ଅନଶନ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ୨୦୨୨ ଫେବ୍ରୁଆରୀ ମାସରେ କେନ୍ଦ୍ରାପଡା ରାଜକନିକା ବ୍ଲକର କୋରନ୍ଦ ପଞ୍ଚାୟତରୁ ଗୀତାଞ୍ଜଳି ସେଠୀ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେହିଦିନ ଠାରୁ ଅଦ୍ୟାବଧି ରାଜକନିକା ବ୍ଲକରେ ଅନ୍ୟୁନ ୩ଜଣ ବିଡ଼ିଓ ବଦଳି ହୋଇସାରିଲେଣି । କିନ୍ତୁ ସରପଞ୍ଚ ଜଣଙ୍କ ଦଳିତ ସମ୍ପ୍ରଦାୟର ମହିଳା ହୋଇଥିବା କାରଣରୁ ତାଙ୍କୁ ସରକାରୀ କାର୍ଯ୍ୟରେ ସହଯୋଗ କରାଯାଉନଥିବା ଅଭିଯୋଗ ହୋଇଛି । ଏପରିକି ପଞ୍ଚାୟତରେ ହେଉଥିବା ସ୍ବଚ୍ଛ ଭାରତ ଯୋଜନା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଓ ବିଜୁ ପକ୍କାଘର, ମିଶନ ଶକ୍ତି ଇତ୍ୟାଦି ଯୋଜନାରେ ପଞ୍ଚାୟତରେ କାମ ହେଉଥିବା ବେଳେ ସରପଞ୍ଚଙ୍କ ଅଗୋଚରରେ ଠିକାଦାର ଚୟନ ଓ ବିଲ ପେମେଣ୍ଟ ହେଉଥିବା ନେଇ ପୂର୍ବରୁ ଜିଲ୍ଲାପାଳ, 5T ଅଧ୍ୟକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।
ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଏହି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଯେପର୍ଯ୍ୟନ୍ତ ମହିଳା ସରପଞ୍ଚଙ୍କ ଆତ୍ମସମ୍ମାନ ନଫେରିଛି ଓ ବ୍ଳକ ପ୍ରଶାସନ ପକ୍ଷରୁ ସହଯୋଗ ନମିଳିଛି, ସେପର୍ଯ୍ୟନ୍ତ ଏହି ଧାରଣା ଓ ଅନଶନ ଜାରି ରହିବ ବୋଲି କହିଛନ୍ତି ଉଭୟ ସରପଞ୍ଚ ଓ ସମର୍ଥକ । ଧାରଣା ଓ ଅନଶନକାରୀମାନେ ବ୍ଲକ ପ୍ରଶାସନ ବିରୋଧରେ ବିଭିନ୍ନ ନାରାବାଜି କରିଥିବା ବେଳେ ଏହି ଧାରଣାକୁ ଜିଲ୍ଲା ଦଳିତ ସଂଘ ଓ ସିପିଆଇଏମ ଏବଂ ମୋ ଦଳ ଭଳି ରାଜନୈତିକ ଦଳ ସମର୍ଥନ କରି ଧାରଣାରେ ବସିଛନ୍ତି ।