କେନ୍ଦ୍ରାପଡା: ଉପକୂଳ ଜିଲ୍ଲାରେ ପ୍ରକୃତିର ଉପାସନା କରିବା ବିଲୁପ୍ତ ହେବାକୁ ବସିଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦ୍ରାପଡାରେ ଅବସ୍ଥିତ ମା’ ସିଦ୍ଧ ଛୁଆଳିଆ ପୀଠରେ । କାହିଁ କେତେ କାଳରୁ ଏଠାରୁ ହୋଇଆସୁଛି ପ୍ରକୃତିର ପୂଜା । କିନ୍ତୁ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଏହା ପରିଚୟ କିମ୍ବା ଖ୍ୟାତି ପାଉନାହିଁ ।
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ଲୋକନାଥପୁର ମା’ ଛୁଆଳିଆଙ୍କ ପୀଠରେ ପ୍ରକୃତିର ଉପାସନା ପ୍ରାୟ 400ବର୍ଷ ପୂର୍ବରୁ ଚାଲିଆସୁଛି । ଗୋବରୀ ନଦୀକୂଳରେ ଅବସ୍ଥିତ ଏହି ପୀଠରେ ନା ଅଛି କୌଣସି ମନ୍ଦିର ନା ପୂଜା ପାଉଛନ୍ତି କୌଣସି ମୂର୍ତ୍ତି । ଏଠାରେ ସାହାଡା ଗଛକୁ ମା’ ଛୁଆଳିଆ ଭାବରେ ବିଶ୍ବାସ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ ।
ବିଶ୍ବାସ ରହିଛି ମା’ଙ୍କ ନିକଟରେ ଯିଏ ଆଶୀର୍ବାଦ ନେଇ ମାନସିକ କରିଥାଏ ତାହାର ମନୋକାମନା ମା’ ନିଶ୍ଚେ ପୂରଣ କରିଥାନ୍ତି । ମାନସିକ ପୂରଣ ହେବାମାନେ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏହି ସାହାଡା ବୃକ୍ଷକୁ ଶଙ୍ଖା, ସିନ୍ଦୁର, କଳାଶାଢୀ, ମଥାଘଶା ଏବଂ ମାଟିର ଘୋଡା ଦେଇଥାନ୍ତି । ଏମିତିକି ମା’ଙ୍କୁ ସୁନା ଅଳଙ୍କାର ମଧ୍ୟ ଭକ୍ତମାନେ ଅର୍ପଣ କରିଥାନ୍ତି । କଦଳୀ, ନଡିଆ, ଛେନା ଆଦି ମିଶ୍ରିତ ପଣାଭୋଗ ମା’ଙ୍କ ନିକଟରେ ଲାଗି କରାଯାଉଥିବାବେଳେ ମାଛ ଘାଣ୍ଟିଆ ମା’ଙ୍କର ପ୍ରିୟ ଭୋଗ ବୋଲି ବିଶ୍ବାସ ରହିଛି ।