କେନ୍ଦ୍ରାପଡା: ଖରସ୍ରୋତା ନଦୀରେ ୮୯୨ କୋଟି ଟଙ୍କା ବ୍ୟୟରେ ମେଗା ପ୍ରକଳ୍ପ ନିର୍ମାଣ ହେଉଛି । ତେବେ ପ୍ରକଳ୍ପ ଆରମ୍ଭରୁ ଦିର୍ଘ ୨ ବର୍ଷ ଧରି ବିବାଦ ଲାଗି ରହିଛି । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଏହାକୁ ବିରୋଧ କରିଆସୁଛି । ଏହି ବିବାଦର ଅନ୍ତ ଘଟାଇବା ପାଇଁ ଆଜି(ଶୁକ୍ରବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସଭା ଗୃହରେ ଏକ ବୈଠକ ଡକାଯାଇଥିଲା ।
ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ସଂଗ୍ରାମ ସମିତି ପକ୍ଷରୁ ପ୍ରଥମେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବା ସହ ବ୍ୟାରେଜ ନିର୍ମାଣ ଦାବି କରାଯାଇଥିଲା ଏବଂ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଅନୁଧ୍ୟାନ କରିବ ବୋଲି ଦାବି କରିଥିଲେ । କିନ୍ତୁ ପ୍ରଶାସନ କୌଣସି ଆଶ୍ୱାସନା ଦେଇପାରି ନଥିଲେ ବୋଲି ସଂଗ୍ରାମ ସମିତି କହିଛି । ଆଲୋଚନା ଶେଷରେ ଏହି ବୈଠକ ବିଫଳ ହୋଇଥିବା ସଂଗ୍ରାମ ସମିତିର କର୍ମକର୍ତ୍ତାମାନେ କହିଛନ୍ତି । ପ୍ରକଳ୍ପ ବନ୍ଦ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ସଂଗ୍ରାମ ସମିତି ସମ୍ପାଦକ କହିଛନ୍ତି ।
ଅପରପକ୍ଷରେ ଜିଲ୍ଲାପାଳ କହିଛନ୍ତି, ସଂଗ୍ରାମ ସମିତିର ସମସ୍ତ ପ୍ରସ୍ତାବ ସରକାରଙ୍କ ନିକଟକୁ ଆମେ ପଠାଇବୁ । ଏହି ପ୍ରକଳ୍ପଟି ହେଲେ ଭିତରକନିକା ଜୈବ ବିବିଧତା ଉପରେ ପ୍ରଭାବ ପଡିବା ସହ ମଧୁର ଜଳର ପରିମାଣ ହ୍ରାସ ପାଇବ ବୋଲି ସଂଗ୍ରାମ ସମିତି ଅଭିଯୋଗ କରିଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା କୌଣସି କ୍ଷତି ହେବନାହିଁ, କେବଳ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ ସମେତ ୩ଟି ମ୍ୟୁନିସିପାଲିଟିକୁ ଜଳ ଯୋଗାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।