କେନ୍ଦ୍ରାପଡା: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିବା କୋରୋନା ମହାମାରୀର ପ୍ରକୋପରେ ବାଦ ପଡିଯାଇଛି ଅନ୍ୟ ମାରାତ୍ମକ ରୋଗର ଚିକିତ୍ସା । ଯାହାର ଏକ ଜ୍ବଳନ୍ତ ନଜିର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ବ୍ଲକ ବଗଡା ବଳିରାଜ ଗାଁରେ । ଦାନ୍ତ ଘଷୁ ଘଷୁ ଏହି ଗାଁର ସୁରେନ୍ଦ୍ର ପତିଙ୍କର ଜିଭ କଟିଯାଇଥିବା ବେଳେ ଚିକିତ୍ସା ପାଇଁ ସେ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ତାଙ୍କୁ କର୍କଟ ଥିବା ଜମା ପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ପଠାଯାଇଥିଲେ । ହେଲେ ଦଇବର ଗତି ହିଁ କିଛି ଭିନ୍ନ ଥିଲା । କର୍କଟ ଚିକିତ୍ସା କରୁ କରୁ ସୁରେନ୍ଦ୍ର କୋଭିଡ ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ଫଳରେ ତାଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୃଢ ମନୋବଳ ପାଇଁ ସେ କୋରୋନାକୁ ମାତ ଦେଲେ ସତ ହେଲେ ଅଧାରେ ଅଟକି ଗଲା କର୍କଟ ରୋଗର ଚିକିତ୍ସା ।
କେବଳ ସୁରେନ୍ଦ୍ର ନୁହେଁ ସୁରେନ୍ଦ୍ରଙ୍କ ପତ୍ନୀ ସାବିତ୍ରୀ ପତି ମଧ୍ୟ କିଛି ଦିନ ମଧ୍ୟରେ କୋଭିଡ ପଜିଟିଭ ଥିବାରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଉଭୟେ ପରିଣତ ବୟସରେ ମଧ୍ୟ ଦୃଢ ମନୋବଳ ଯୋଗୁଁ କୋରୋନାକୁ ହସି ହସି ମାତ ଦେଇଥିଲେ । ସେପେଟ ସଂକ୍ରମଣ ନଥିବା ସତ୍ତ୍ବେ ଡାକ୍ତରଖାନାରେ ଔଷଧ ଦେଇ ସୁରକ୍ଷିତ ରଖାଯାଇଥିଲା ସୁରେନ୍ଦ୍ରଙ୍କ ପୁଅ ଅମରେଶଙ୍କୁ । ବାପା ମା’ଙ୍କ କଷ୍ଟ ଦେଖି ଅମରେଶ ଦୁଃଖରେ ଭାଙ୍ଗି ପଡିଥିଲେ ବି ବିଧିର ନିୟମ ଆଗରେ ମୁଣ୍ଡ ପାତି ସେ ପରିସ୍ଥିତିକୁ ସ୍ବିକାର କରିବାକୁ ବାଧ୍ୟ ହୋଇଥିଲେ । ତେବେ ଚିକିତ୍ସା ପରେ କୋରୋନାକୁ ମାତ ଦେଇ ବୃଦ୍ଧ ଦମ୍ପତି ଘରକୁ ଫେରିଥିବାରୁ ତାଙ୍କୁ ରାଜ୍ୟର ବିଭିନ୍ନ କୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ ଯୋଗେ ଉଭୟଙ୍କୁ ସାବାସୀ ଦେଇଥିଲେ । ହେଲେ ଭୁଲି ଯାଇଥିଲେ ସୁରେନ୍ଦ୍ରଙ୍କ ବାସ୍ତବ ସମସ୍ୟା କର୍କଟ ରୋଗର ଚିକିତ୍ସା କଥା ।