କେନ୍ଦ୍ରାପଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗର ଜୀବନ ନେଇଥିଲା ସାଙ୍ଗ । କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନର ପେସାଦାର ଅପରାଧି ତ୍ରିଲୋଚନ ମଲିକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ନିରାକାର ବାରିକ ଓରଫ ମୁନାକୁ ଗିରଫ କରି କୋର୍ଟ ଚାଲାଣ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ଏକ ରକ୍ତ ଭିଜା ଡ୍ରେସ ଜବତ କରିଛି ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନ ଠାରେ ତ୍ରିଲୋଚନ ମଲିକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୂମାତ ଗ୍ରାମର ନିରାକାର ବାରିକ ହତ୍ୟାକାଣ୍ଡ ଘଟାଇବାର 4ଦିନ ପରେ ନିକିରାଇ ଥାନାରେ ଆତ୍ମସମର୍ପଣ କରିଥିଲା । ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ତଦନ୍ତ କରି ଆଜି ନିରାକାରକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ନିରାକାର ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ଏକ ରକ୍ତ ଭିଜା ଡ୍ରେସ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଜଳନ୍ଧର ଜାଲି ସୂଚନା ଦେଇଛନ୍ତି ।
ଅତିରିକ୍ତ ଏସ୍ପି ଜଳନ୍ଧର ଜାଲି କହିଛନ୍ତି, ‘‘ପୂର୍ବରୁ ମୃତ ତ୍ରିଲୋଚନ ସହିତ ଅଭିଯୁକ୍ତ ନିରାକାରର ଘନିଷ୍ଠ ସମ୍ପର୍କ ଥିଲା । ତେବେ ବିଭିନ୍ନ କାରଣ ପାଇଁ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା । ଯାହାକୁ ନେଇ ନିରାକାର ସହ ମିଳାମିଶା ନକରିବା ପାଇଁ ତ୍ରିଲୋଚନକୁ ତାର ପରିବାର ଲୋକେ ବାରଣ କରିଥିଲେ । ଏହି ଘଟଣାରେ ନିରାକରା କ୍ରୋଧାନ୍ବିତ ହୋଇ ଘଟଣା ଦିନ ତ୍ରିଲୋଚନକୁ ଧୂମାତ କେନାଲ ବନ୍ଧ ମହାପୁରୁଷଙ୍କ ନିକଟକୁ ଡାକିଥିଲା । ସେଠାରେ ମଦ୍ୟପାନ କରିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ନିରାକାର ଏକ ଛୁରୀରେ ତ୍ରିଲୋଚନକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତ୍ରିଲୋଚନର ମୃତ୍ୟୁ ଘଟିଥିଲା ।’’