କେନ୍ଦ୍ରାପଡା:କାନ୍ଦବୋବାଳିରେ ଫାଟୁଛି ଗାଁ । ମାଟିରେ ଲୋଟି ଛାତି ବାଡ଼େଇ କାନ୍ଦୁଛନ୍ତି ଆତ୍ମୀୟ ସ୍ବଜନ । ଗାଁରେ ପ୍ରତି ଲୋକଙ୍କ ଆଖିରେ ଲୁହ । ଗତ 15 ତାରିଖରେ ବାଙ୍ଗାଲୋରରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶ ଚିତୋର ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ କେନ୍ଦ୍ରାପଡା ଜିଲ୍ଲାର 4 ଜଣଙ୍କର ମୃତ୍ୟୁ ହୋଇଥିଲା । 2 ଦିନ ପରେ ଗତକାଲି ରାତିରେ 4 ଜଣଙ୍କର ମୃତଦେହ ଗାଁକୁ ଫେରିଥିଲା । ଏହାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡିଥିଲେ ପରିବାର । କୋହ ସମ୍ଭାଳି ନପାରି ବାହୁନି ବାହୁନି କାନ୍ଦୁଥିଲେ ବନ୍ଧୁ ଓ ସ୍ଥାନୀୟ ବାସିନ୍ଦୀ । କାନ୍ଦବୋବାଳିରେ ଫାଟି ପଡିଥିଲା ପଟ୍ଟାମୁଣ୍ଡାଇର ଗୋବିନ୍ଦପୁର ।
ସୂଚନାଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଗାଁର ଉମେଶ ଚନ୍ଦ୍ର ସାହୁଙ୍କ ଦେହ ଖରାପ ଥିବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଥିଲା । ଗତ 15 ତାରିଖରେ ବେଙ୍ଗାଲୁରୁରେ ଚିକିତ୍ସା ପରେ ଓଡ଼ିଶାକୁ ଫେରାଇ ଦେଇଥିଲା ଡାକ୍ତର । ପରିବାର ଲୋକେ ତାଙ୍କୁ ଧରି ଓଡ଼ିଶା ଫେରୁଥିଲେ । ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଳେ ଆନ୍ଧ୍ର ବର୍ଡ଼ର ଚିତ୍ତୋରଠାରେ ଏକ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ଧକ୍କା ହୋଇଥିଲା । ଫଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଗତକାଲି ଗାଁରେ 4ଜଣଙ୍କର ମୃତଦେହ ପହଞ୍ଚିବା ପରେ ଛାତି ବାଡେଇ କାନ୍ଦିଥିଲେ ଗାଁ ଲୋକଙ୍କଠୁ ନେଇ ପରିବାର । ହୃଦୟ ବିଦାରକ ଥିଲା ସେ ଦୃଶ୍ୟ । ତ୍ରିଲୋଚନ ନାୟକ ଓ ବିଜୟ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ଵାମୀ ସ୍ତ୍ରୀ ଉମେଶ ଚନ୍ଦ୍ର ସାହୁ ଓ ରଶ୍ମିତା ସାହୁଙ୍କ ଶେଷକୃତ୍ୟ ଆଳି ବ୍ଲକର ଅଙ୍ଗାରଖ ଗାଁରେ ସମ୍ପନ୍ନ ହୋଇଛି ।