କେନ୍ଦ୍ରାପଡା: ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି ପୋଲିସ, ଶେଷରେ ନିରାଶ ହୋଇ ଆତ୍ମହତ୍ୟା ବାଟ ବାଛିନେଲେ ଯୁବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପାଟକୁରା ଥାନା ଅଧିନ ମହାମୁଦା ଗ୍ରାମରେ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଶୁଭ୍ରା ଶୁଭଦର୍ଶନୀ । ସୂଚନା ଅନୁଯାୟୀ ପଡ଼ୋଶୀ ସୁନିତା ମହାନ୍ତିଙ୍କ ଶଶୁର ଅଟଳ ବିହାରୀ ମହାନ୍ତିଙ୍କୁ ଗ୍ରାମର ରବୀନ୍ଦ୍ର ବେହେରା ଏବଂ ତାଙ୍କ ପୁଅ ଅଭୟ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ।
ଅଭିଯୋଗ ପରେବି ନିରବ ରହିଲା ପୋଲିସ, ଆତ୍ମହତ୍ୟା କଲେ ଯୁବତୀ ଏନେଇ ଅଟଳ ପ୍ରତିବାଦ କରିବାରୁ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ରବୀନ୍ଦ୍ର ଓ ତାଙ୍କ ପୁଅ । ଏହି ସମୟରେ ସୁନିତା, ଶୁଭ୍ରା ଓ ଝରଣା ସ୍ବାଇଁ ଅଟକାଇବାକୁ ଚେଷ୍ଟା କରି ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏହିସବୁ ଘଟଣା ଘଟିଥିଲେ ମଧ୍ୟ ସରପଞ୍ଚ ପ୍ରତିବାଦ କରିବା ପରିବର୍ତ୍ତେ ଅଭିଯୁକ୍ତମାନଙ୍କୁ ସମର୍ଥନ କରିଥିଲେ । ଏନେଇ ସୁନିତା ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତ ସମ୍ପର୍କୀୟ ଜନ ପ୍ରତିନିଧି ହୋଇଥିବା କାରଣରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
ଅଭିଯୋଗ ଗୋଟିଏ ମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆକ୍ରମଣ କରିଥିବା ବ୍ୟକ୍ତି ଝରଣା ସ୍ୱାଇଁଙ୍କ ସାନ ଝିଅ ଶୁଭ୍ରା ଶୁଭଦର୍ଶନୀଙ୍କୁ ରାସ୍ତାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ଫଳରେ ଶୁଭ୍ରା ଏସବୁ ସହିନପାରି ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡିଛି । ଶୁଭ୍ରାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳବାସୀ ଉତ୍ୟକ୍ତ ହୋଇ ପାଟକୁରା ଥାନା ସମ୍ମୁଖରେ ମୃତ୍ୟୁ ଦେହ ରଖି ପ୍ରତିବାଦ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ପ୍ରତିବାଦରୁ ହଟିଥିଲେ ସ୍ଥାନୀୟ ଲୋକେ ।
ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା ପୋଲିସ । ଏନେଇ ପାଟକୁରା ଥାନା ଅଧିକାରୀ ସରୋଜ ସାହୁଙ୍କୁ ପଚାରିବାରୁ ଜୁନ୍ ୧୭ ତାରିଖରେ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷ ଅଭିଯୋଗ କରିଥିଲେ । ସ୍ଥାନୀୟ ମୁରବୀମାନେ ଗ୍ରାମରେ ବସି ସମାଧାନ କରିବାକୁ ପୋଲିସକୁ କହିଥିଲେ । ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହେବା କହିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାପରେ ପୋଲିସ ପକ୍ଷରୁ ତଦନ୍ତ କରିବାରୁ ସେମାନଙ୍କ ମଧ୍ୟରେ ସ୍ଥାନୀୟ ଲୋକେ ସମାଧାନ କରିଥିବା କହିଥିଲେ ।
ଏହାପରେ ମଧ୍ୟ ଏନେଇ ଥାନାକୁ ଆଉ କୌଣସି ଅଭିଯୋଗ ଆସିନଥିଲା, ତେଣୁ ସ୍ଥାନୀୟ ଲୋକେ ଘଟଣାର ସମାଧାନ କରିଥିବାବେଳେ ଏହାପରେ ଯଦି କୌଣସି ଅଭିଯୋଗ ଆସିଥାନ୍ତା ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ବୋଲି କହିଛନ୍ତି ଥାନା ଅଧିକାରୀ । ତେବେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି l