ଓଡିଶା

odisha

ETV Bharat / state

ବେଆଇନ ଇଟାଭାଟି ଯୋଗୁଁ କେନ୍ଦ୍ରାପଡ଼ାରେ ପ୍ରବଳ ତାତି, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ - ଇଟାଭାଟି ଯୋଗୁଁ କେନ୍ଦ୍ରାପଡ଼ାରେ ବଢ଼ୁଛି ତାପମାତ୍ରା

ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି କେନ୍ଦ୍ରାପଡ଼ାବାସୀ । ଜିଲ୍ଲାରେ ବେଆଇନ ଭାବରେ ଇଟାଭାଟି ଜଳୁଥିଲେ ସୁଦ୍ଧା ଏଥିପ୍ରତି ପ୍ରଶାସନର ନିଘା ନାହିଁ । ଇଟାଭାଟି ଯୋଗୁଁ ଗରମର ପ୍ରକୋପ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

ବେଆଇନ ଇଟାଭାଟି ଯୋଗୁଁ କେନ୍ଦ୍ରାପଡ଼ାରେ ପ୍ରବଳ ତାତି , ନିରବଦ୍ରଷ୍ଟା ସାଜିଛି ପ୍ରଶାସନ
ବେଆଇନ ଇଟାଭାଟି ଯୋଗୁଁ କେନ୍ଦ୍ରାପଡ଼ାରେ ପ୍ରବଳ ତାତି , ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

By

Published : Apr 10, 2022, 8:59 PM IST

କେନ୍ଦ୍ରାପଡ଼ା:ଅପ୍ରେଲ ମାସର ଡହଡହ ଖରା ଲୋକଙ୍କୁ ଅଣନିଃଶ୍ବାସୀ କରୁଛି । ଏହି ସମୟରେ ଇଟାଭାଟିର ତାପ ତାତିକୁ ଦୁଇଗୁଣା କରିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ କିଛି ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏହାକୁ ନେଇ ପ୍ରଶାସନକୁ ଅବଗତ କଲେ ଲୋକଙ୍କୁ ଅଧିକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ନଜିର ରହିଛି ।

ବେଆଇନ ଇଟାଭାଟି ଯୋଗୁଁ କେନ୍ଦ୍ରାପଡ଼ାରେ ଅସହ୍ୟ ଗରମ, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କେନ୍ଦ୍ରାପଡ଼ାର ୯ଟି ବ୍ଲକରେ ୫୦ ହଜାରରୁ ଅଧିକ ଇଟାଭାଟି ଏବେ ଜଳୁଛି । ଏଥିପ୍ରତି ସ୍ଥାନୀୟ ରାଜସ୍ବ ନିରୀକ୍ଷକ କିମ୍ବା ତହସିଲଦାର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଡେରାବିଶ୍ ତହସିଲ ଅଧୀନସ୍ଥ କୁରୁଜଙ୍ଗା ପଞ୍ଚାୟତରେ ସର୍ବାଧିକ ନାଲିଇଟାର ବ୍ୟବସାୟ ଜମାଇଛନ୍ତି ଇଟା ମାଫିଆ । ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ଇଟାଭାଟି ମାଲିକ ମାଲାମାଲ ହେଉଛନ୍ତି । ସେମାନଙ୍କ ନିକଟରୁ କେବଳ ରୟାଲିଟି ବାବଦକୁ ପ୍ରତ୍ୟେକ ହଜାରେ ଇଟାରେ ୨୧୦ଟଙ୍କା ଜୋରିମାନା ନେଇ ଛାଡିଦେଉଛି ବିଭାଗ ।

ଚଳିତବର୍ଷ ପ୍ରାରମ୍ଭରେ ଇଟା ଜୋରିମାନା ବାବଦକୁ ୨ଲକ୍ଷ ୫୦୦ଟଙ୍କା ଆଦାୟ ହୋଇଛି । ଏମାନଙ୍କ ମଧ୍ୟରେ ଅଭ୍ୟାସଗତ ଇଟା ମାଫିଆ ମଧ୍ୟ ରହିଛନ୍ତି । ଏମାନେ ଥରେ କି ଦୁଇଥର ନୁହେଁ, ୧୦ରୁ ଅଧିକ ଥର ଜୋରିମାନା ଦେଇ ସାରିଥିଲେ ସୁଦ୍ଧା ବେଫିକର ଢଙ୍ଗରେ ନାଲି ଇଟା ବ୍ୟବସାୟ କରୁଛନ୍ତି । ପ୍ରତ୍ୟେକ ସିଜିନରେ ଏହି ବ୍ୟବସାୟୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

ଜଙ୍ଗଲ ଜମି ଛଡ଼ା ସରକାରୀ ଅନାବାଦୀ ଏବଂ ଗୋଚର ଜମିରୁ ଇଟା ମାଫିଆ ମାଟି ଉଠାଇ ସେଠାରେ କୃତ୍ରିମ ପୋଖରୀ ତିଆରି କରି ଇଟା ପକାଉଛନ୍ତି । ଏହାକୁ ନେଇ ପ୍ରଶାନିକ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା ସେମାନେ ନିଜ ପକେଟ ଗରମ କରି ଇଟାଭାଟି ପାଇଁ ଅନୁମତି ଦେଉଥିବା ଅଭିଯୋଗ ହୋଇଛି । ଇଟାଭାଟିର ଉତ୍ତାପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅଧିକ ଗରମ ଅନୁଭୂତ ହେଉଛି । ତା ସହିତ ଇଟାଭାଟିର ଅବଶେଷରେ ଚାଷଜମି ମଧ୍ୟ ନଷ୍ଟ ହେଉଛି । ଡେରାବିଶ୍, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ମାର୍ଶାଘାଇ ପ୍ରଭୃତି ଅଞ୍ଚଳରେ ଲକ୍ଷଲକ୍ଷ ଇଟା ପୋଡ଼ା ଯାଉଛି ।

ଏହାକୁ ନେଇ ବିଗତ ଦିନରେ ଜଣେ ଚାଷୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ପ୍ରତିବଦଳରେ ଚାଷୀଙ୍କୁ ତହସିଲଦାରଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଲା । ଇଟାଭାଟିରୁ ନିର୍ଗତ ଧୂଆଁ ସ୍ଥାନୀୟ ବାସିନ୍ଦାଙ୍କୁ ଅଣ ନିଃଶ୍ବାସୀ କରି ଦେଉଛି । ଏହାକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା କିଛିଦିନ ପୂର୍ବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଏହି ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଗୁଆଳସିଂ ରାଜସ୍ୱ ନିରୀକ୍ଷକ ତାଙ୍କ ସର୍କଲ ଅଧୀନରେ ଥିବା ୨୧ଟି ଗାଁ ମଧ୍ୟରୁ କୁରୁଜଙ୍ଗା ପଞ୍ଚାୟତରେ ସର୍ବାଧିକ ଇଟାଭାଟି ରହିଛି । ଏହିସବୁ ଇଟାଭାଟି ଉପରେ କିପରି ରୋକ ଲଗାଯିବ ସେନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ସରକାରୀ ଅଧିକାରୀ । ସପଟେ କେବେ ଏଭଳି ଇଟାଭାଟି ବନ୍ଦ ହେବ ଓ କେବେ ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ ତାହାକୁ ଚାହିଁ ରହିଛନ୍ତି ଜିଲ୍ଲାବାସୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details