କେନ୍ଦ୍ରାପଡା:ରାଜ୍ୟର ଅନେକ ଚାଷୀ ପାଇଁ ଚାଷ ଜମି ଜୀବନର ଆଧାର । ସେହିପରି କେନ୍ଦ୍ରାପଡା ଏକ କୃଷିଭିତ୍ତିକ ଜିଲ୍ଲା । ଧାନ ଏବଂ ରବି ଫସଲ ପରେ ଏଠାକାର ଚାଷୀମାନେ ଲାଭକାରୀ ଆଳୁ ଚାଷୀ ଉପରେ ଗୁରୁତ୍ବ ଦେଇଥାନ୍ତି । ଫସଲ ଅମଳ କରି ଜିଲ୍ଲା ତଥା ରାଜ୍ୟର ଚାହିଦା ମେଣ୍ଟାଇଥାନ୍ତି । ମାତ୍ର ବର୍ତ୍ତମାନ ଆଳୁ ଚାଷ କରୁଥିବା ଚାଷୀମାନେ ନାନା ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବ ଏବଂ ନିଚ୍ଚା ଦର ପାଇଁ ନାହିଁ ନଥିବା କ୍ଷତି ସହୁଛନ୍ତି ଜିଲ୍ଲାର ଆଳୁ ଚାଷୀ । ଯେଉଁ ଫସଲ ଦିନେ 20 ରୁ 30 ଟଙ୍କାରେ ବିକ୍ରି ହେଉଥିଲା ତାହାକୁ ଚାଷୀ ଏବେ 4 ରୁ 6 ଟଙ୍କାରେ ଚାଷୀମାନେ ବିକ୍ରି କରୁଛନ୍ତି ।
କେନ୍ଦ୍ରାପଡା ଡେରାବିଶ ବ୍ଲକର ଶହ ଶହ ଚାଷୀ ଆଳୁ ଚାଷ କରିଥାନ୍ତି । ବ୍ଲକର ରଘୁଦେଇପୁର, ବେଲାରପୁର, ସଦାନନ୍ଦପୁର, ବସୁପୁର, ଦାନପୁର ଆଦି ଅନେକ ସ୍ଥାନରେ ବହୁଳ ଆଳୁ ଚାଷ କରାଯାଇଥାଏ । ଆଳୁ ଲଗାଇବା ସମୟରେ ବିହନ କ୍ବିଣ୍ଟାଲ 4 ହଜାରରୁ ଉର୍ଦ୍ଧ୍ବ ଟଙ୍କାରେ କିଣିଥିବାବେଳେ ଏବେ ଆଳୁ କ୍ବିଣ୍ଟାଲ ପିଛା 500 ରୁ 600 ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଅମଳ ଋତୁ ହୋଇଥିବାରୁ ଆଳୁର ବଜାର ଦର ନିମ୍ନଗାମୀ ରହିଛି । ଯାହା ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ଆଳୁ ସଂରକ୍ଷଣ ପାଇଁ କେନ୍ଦ୍ରାପଡାରେ ଗୋଟିଏ ମଧ୍ୟ ଶୀତଳ ଭଣ୍ଡାର ନଥିବା ଯୋଗୁଁ ଏଭଳି ଦୁର୍ଦ୍ଦଶା ଭୋଗୁବାକୁ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଚାଷୀମାନେ ନିଜ ଘରେ ପାରମ୍ପରିକ ଉପାୟ ଅବଲମ୍ବନ କରି ଆଳୁ ସଂରକ୍ଷଣ କରୁଛନ୍ତି । ହେଲେ ତାହା ମାତ୍ର 15 ରୁ 16 ଦିନ ରହିବା ପରେ ଗରମରୁ ପଚି ନଷ୍ଟ ହୋଇଯାଉଛି । ଫଳରେ ବାଧ୍ୟ ହୋଇ ସେମାନେ ନିଜର କଷ୍ଟ ଉପାର୍ଜିତ ଫଳକୁ ଯଚେଇ ବିକ୍ରି କରୁଛନ୍ତି ।