କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା କେନ୍ଦ୍ରାପଡ଼ା ନଗର ବିଜେପି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ରାଜ୍ୟ ସରକାର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛି କେନ୍ଦ୍ରାପଡ଼ା ନଗର ବିଜେପି । ଏହାକୁ ନେଇ କେନ୍ଦ୍ରାପଡ଼ା ଉପ ଡାକଘର ନିକଟରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।
ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ନିଦା ବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ଅଞ୍ଜନା ମିଶ୍ର ଘଟଣା ସମୟରେ କଂଗ୍ରେସକୁ ଗାଦିଚ୍ୟୁତ କରାଇବା ପାଇଁ ସ୍ୱର ଉଠାଇଥିବା ନବୀନ ପଟ୍ଟନାୟକ ଏବେ ମମିତା ମେହେର ଘଟଣାରେ ଚୁପ ବସିଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଅଭିଯୋଗ ରହିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ହୋଇଛି ।