ଓଡିଶା

odisha

ETV Bharat / state

ସମସ୍ୟାରେ ଗୋବରୀ: ପିଏମଓଙ୍କ ନିକଟରେ ଗୁହାରୀ - ସମସ୍ୟାରେ ଗୋବରୀ

କେନ୍ଦ୍ରାପଡ଼ା ସହର ମଧ୍ୟଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ ଓ ମହାନଦୀରୁ ବାହାରିଥିବା ଗୋବରୀ କେନାଲର ଜଳ ହୋଇପଡିଛି ଦୂଷିତ । ନଦୀ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ପୁନଋଦ୍ଧାର ପାଇଁ ଦାବି କରାଯାଇଛି । ଅଧିକ ଖବର ପଢନ୍ତୁ....

ସମସ୍ୟାରେ ଗୋବରୀ: ପିଏମଓଙ୍କ ନିକଟରେ ଗୁହାରୀ
ସମସ୍ୟାରେ ଗୋବରୀ: ପିଏମଓଙ୍କ ନିକଟରେ ଗୁହାରୀ

By

Published : Jul 11, 2020, 1:46 PM IST

କେନ୍ଦ୍ରାପଡ଼ା: ସହର ମଧ୍ୟଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ ଓ ମହାନଦୀରୁ ବାହାରିଥିବା ଗୋବରୀ କେନାଲର ଜଳ ହୋଇପଡିଛି ଦୂଷିତ । ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେହି ଆନ୍ତରିକତା ପ୍ରକାଶ କରିନାହାଁନ୍ତି । ଯାହାକୁ ନେଇ ଚିନ୍ତାରେ ବସବାସ କରୁଥିବା ଲୋକେ ।

ଦିନକୁ ଦିନ ଚିନ୍ତା ବଢାଉଛି ନଦୀ ପ୍ରଦୂଷଣ । କେନ୍ଦ୍ର ସରକାର ନଦୀ ସଫେଇ ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି । ହେଲେ ଏହି ଯୋଜନା ସତେ ଯେମିତି ଫେଲ ମାରିଛି କେନ୍ଦ୍ରାପଡା ଜିଲ୍ଲାରେ । ଗୋବରୀ ନଦୀ ଉପରେ 200ଟି ପଞ୍ଚାୟତର ପ୍ରାୟ 10ଲକ୍ଷ ଲୋକ ନିର୍ଭରଶୀଳ । ମାତ୍ର ନଦୀ ଅବବାହିକାରେ ବେଆଇନ ଘର, ଦୋକାନଘର ନିର୍ମାଣ ସାଙ୍ଗକୁ ସହରର ଆବର୍ଜନା ଓ ଦୂଷିତ ପାଣି ନଦୀରେ ମିଶୁଛି । ନଦୀ ପାଣି ବିଷାକ୍ତ ହୋଇପଡୁଥିବାବେଳେ ନଦୀର ଉଭୟ ପାର୍ଶ୍ବ ଏବେ ପୋତି ହେବାରେ ଲାଗିଛି । ମାତ୍ର ନଦୀର ପୁନଋଦ୍ଧାର ପାଇଁ ନା ପ୍ରଶାସନ ଧ୍ୟାନ ଦେଉଛି ନା ରାଜନେତାଙ୍କ ଦୃଷ୍ଟି ପଡୁଛି । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ସମସ୍ୟାରେ ଗୋବରୀ: ପିଏମଓଙ୍କ ନିକଟରେ ଗୁହାରୀ

ଅନ୍ୟପଟେ ନଦୀକୁ ପ୍ରଦୂଷଣ ମୁକ୍ତ କରିବାରେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବାବେଳେ ସ୍ଥାନୀୟ ଗୁଲନଗର ଗାଁର ପ୍ରକାଶ ଚନ୍ଦ୍ର ନାୟକ ଗତ 21 ମେ 2019 ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଇ-ମେଲ ମାଧ୍ୟମରେ ଏକ ଅଭିଯୋଗ ଦାୟର କରିଥିଲେ । ଏହି ମେଲ ଜରିଆରେ ସେ କ୍ଷୋଭ ପ୍ରକାଶ କରିବା ସହ ନଦୀର କିଭଳି ପୁନଋଦ୍ଧାର ହୋଇପାରିବ ସେ ନେଇ ଦର୍ଶାଇଥିଲେ । ଏଭଳି ଅଭିଯୋଗ ପାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେନ୍ଦ୍ର ସରକାରଙ୍କ ଜଳଶକ୍ତି ବିଭାଗକୁ ଚିଠି ମଧ୍ୟ ହୋଇଥିଲା । ତେବେ ଜଳଶକ୍ତି ବିଭାଗର ନୋଟିସ ସତ୍ତ୍ବେ କୌଣସି ଫଳପ୍ରଦ ମିଳିନଥିବା କହିଛନ୍ତି ଅଭିଯୋଗକାରୀ । ତେବେ ସ୍ବଚ୍ଛତା ସହ ନଦୀର ଦେଖାରେଖା କେନ୍ଦ୍ରାପଡାବାସୀ ଅର୍ଥାତ ସମସ୍ତଙ୍କ ଦାୟିତ୍ବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ବର୍ତ୍ତମାନ ଗୋବରୀ ନଦୀ ପାର୍ଶ୍ଵରେ ଏକ ପାଦଚଲା ରାସ୍ତା ନିର୍ମାଣ କରାଯାଉଛି । ଅନ୍ୟପଟେ ମ୍ୟୁନିସିପାଲିଟି ଦ୍ବାରା ପ୍ରଦୂଷଣକାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବା ପାଇଁ ମଧ୍ୟ ପ୍ରଶାସନ କହିଛି । ହେଲେ ନଦୀ ସଫେଇ ନାମରେ ପୁଳାପୁଳା ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା କିପରି କାର୍ଯ୍ୟକାରୀ ହେବ, ତାହା ସମୟ କହିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details