କେନ୍ଦ୍ରାପଡା:ସଂଗୀତକୁ ଅନେକ ବ୍ରତ କରିଥାନ୍ତି । ସଂଗୀତରେ ବଞ୍ଚନ୍ତି ଗୀତ ତାଙ୍କ ଶାନ୍ତିର କାରଣ ବନିଯାଏ । ସେମିତି ଜଣେ ହେଉଛନ୍ତି କେନ୍ଦ୍ରାପାଡ ଜିଲ୍ଲା ବଡ଼ ମାଣିତିଆ ଗାଁର ଗଣେଶ ଚନ୍ଦ୍ର ରାଉତ । ବୟସ ୫୬ ଛୁଇଁଲାଣି । ହେଲେ ଗୀତ ବୋଲିବା ଆଜି ଯାଏ ଛାଡି ନାହାନ୍ତି । ତାଙ୍କ ସୁମଧୁର ସ୍ବର ଖାଲି ତାଙ୍କୁ ଆଖପାଖ ଅଞ୍ଚଳ ନୁହେଁ ରାଜ୍ୟ ବାହାରେ ମଧ୍ୟ ପ୍ରଶଂସା ଦେଇଛି । ଖାଲି ସୁନ୍ଦର ସ୍ବର ନୁହେଁ ଏକ ନିଆରା ବାଦ୍ୟଯନ୍ତ୍ର ତିଆରି କରି ଏବେ ଚର୍ଚ୍ଚାରେ ଏହି କାଳାକର । ପ୍ଲାଷ୍ଟିକ ପାନିଆ ଓ କାଗଜ ଖଣ୍ଡେରୁ ଅପୂର୍ବ ସ୍ବର ସୃଷ୍ଟି କରୁଛନ୍ତି ଗଣେଶ। ପାନିଆ ଓ କାଗଜରୁ ଭଳି କି ଗୀତର ସ୍ବର ସଞ୍ଚାଳନ କରୁଛନ୍ତି ।
ପେଶାରେ ଗଣେଶ ଜଣେ ପାଣି ପାଇପ ମିସ୍ତ୍ରୀ । ଜୀବିକାରେ ପାଣିପାଇପ ମିସ୍ତ୍ରୀ ହେଲେ ସଙ୍ଗୀତ ଜୀବନ । ପିଲାଦିନେ ଖେଳର ସାଧନ ଆଜି ପାଲଟିଛି ଲୋକମାନଙ୍କ ମନୋରଞ୍ଜନ ମାଧ୍ୟମ । ଦୁଇ ତିନୋଟି ପ୍ଲାଷ୍ଟିକ ପାନିଆ ସାଙ୍ଗରେ ପତଳା କାଗଜକୁ ଯୋଡ଼ି ପାଟିରେ ଲଗାଇ ସେ ସୃଷ୍ଟି କରୁଛନ୍ତି ସୁନ୍ଦର ସ୍ୱର । ଆଉ ଏହି ସ୍ୱରର ତାଳେତାଳେ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗାନ କରୁଛନ୍ତି ସୁନ୍ଦର ଭଜନ ଓ ଜଣାଣ । ଘରକୁ ଘର ବୁଲି ବିଭିନ୍ନ ଗାଁ ଗଣ୍ଡାରେ ପାଣିପାଇପ କାମ ହେଲେ କିମ୍ବା ନଳକୂପ ମରାମତି ପାଇଁ ଖୋଜା ପଡିଥାନ୍ତି ଗଣେଶ । ଯାହା ଯିଏ ଦେଲେ ସେଥିରେ କୌଣସି ଅଭିଯୋଗ ନକରି ନିଜ କାମକୁ ଆଦରି ନେଇ କାମ ସାରିଦିଅନ୍ତି ସେ । ତାଙ୍କର ଏହି କାମ ପାଇଁ ତାଙ୍କୁ ପଞ୍ଚାୟତ ସ୍ତରରେ ଏସିଏମ୍ ବା ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଏବଂ ପମ୍ପ୍ ହାଉସର ଚାଳକ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇ ମାସିକ ପାରିଶ୍ରମିକ ରୂପେ ୨୦୦୦ଟଙ୍କା ଦିଆଯାଉଛି । ତେବେ ପେଷାରେ ଜଞ୍ଜାଳ ଭିତରେ ନିଜ ନିଶାକୁ ଭୁଲି ନାହାନ୍ତି ସେ । ପିଲାଦିନେ ସାଙ୍ଗମାନଙ୍କ ସହ ଖେଳୁ ଖେଳୁ ପାନିଆ ଏବଂ ପତଳା କାଗଜ ସାହାଯ୍ୟରେ ପାଟିରେ ସ୍ବର ସୃଷ୍ଟି କରିଥିଲେ ପରେ ଏଥିରେ ସିଦ୍ଧହସ୍ତ ହୋଇ ଯାଇଥିଲେ ଗଣେଶ ।