କେନ୍ଦ୍ରାପଡା: ସାରା ବିଶ୍ବକୁ ଘାରିଛି କୋରୋନା ଭୟ । ଏନେଇ ଗତ 22ତାରିଖଠାରୁ କେନ୍ଦ୍ରାପଡା ଜିଲ୍ଲା ଲକଡାଉନ ହୋଇଥିବା ବେଳେ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବିଦେଶରୁ ଆସିଥିବା ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ରାଜ୍ୟ ସରକାରଙ୍କ ତାଲା ବନ୍ଦ ଘୋଷଣାକୁ ସ୍ବାଗତ କରିଛନ୍ତି ଲୋକେ । ହେଲେ ଜିଲ୍ଲାରେ ଥିବା ଶ୍ରମିକ, ଟ୍ରଲି ଓ ରିକ୍ସା ଚାଳକ, କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଆଉ ଏହି ଭୋକିଲା ପେଟ କଥା ବୁଝିବାକୁ ଆଗେଇ ଆସିଛି ଜିଲ୍ଲା ମ୍ୟୁନିସିପାଲଟିର ‘ସୁରଭି ମହିଳା ମଣ୍ଡଳ’ ।
ଗତ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମା ଏହି ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପରେ ଆରମ୍ଭ ହୋଇଛି ସେବା । ଏନେଇ ସକାଲ 9ଟା ଭିତରେ ଅନୁଷ୍ଠାନର ଅଧ୍ୟକ୍ଷା ସ୍ବପ୍ନା ସିଂଙ୍କୁ ପୌର ପରିଷଦ ଅଧିନସ୍ଥ 1ରୁ 21 ନମ୍ବର ୱାର୍ଡର ଅଧିବାସୀମାନେ ଆବଶ୍ୟକ ମୁତାବକ ରନ୍ଧା ଖାଦ୍ୟ ଅର୍ଡର ଦେଉଛନ୍ତି । ଏହିକ୍ରମରେ ପ୍ରତିଦିନ ପ୍ରାୟ 100ରୁ 150ଟି ମିଲ ପାଇଁ ଅର୍ଡର ଆସୁଥିବା ବେଳେ ପ୍ରତ୍ୟେକର ମୂଲ୍ୟ ରହିଛି ମାତ୍ର 25 ଟଙ୍କା ।