ଓଡିଶା

odisha

ETV Bharat / state

ଜି-୨୦ରେ ବିଦେଶୀ ଅତିଥିଙ୍କ ମନ ଜିଣିଲା କାଇଁଚ ସାମଗ୍ରୀ, ପ୍ରଶଂସା ସାଉଁଟିଲେ କେନ୍ଦ୍ରାପଡା ଦମ୍ପତି - ଜି 20

କାଇଁଚକୁ ବିଶ୍ବ ଦରବାରରେ ପରିଚୟ କରାଇଲେ କେନ୍ଦ୍ରାପଡା ବ୍ଳକ କପାଳେଶ୍ୱର ପଞ୍ଚାୟତ ଜଜାଙ୍ଗ ଗାଁର ସନ୍ଧ୍ୟାରାଣୀ ନାୟକ ନିରଞ୍ଜନ ନାୟକ। ଜି-20 ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିବା କାଇଁଚ ସାମଗ୍ରୀ ବିଶ୍ବରୁ ଆସିଥିବା ଅତିଥିଙ୍କ ମନ ଜିଣିଛି । ଦେଖନ୍ତୁ ଏହି ରିପୋର୍ଟ

kendrapara golden grass handicraft
kendrapara golden grass handicraft

By ETV Bharat Odisha Team

Published : Sep 27, 2023, 6:47 PM IST

ବିଶ୍ବ ଦରବାରରେ ପହଞ୍ଚିଲା କେନ୍ଦ୍ରାପଡା କାଇଁଚ,

କେନ୍ଦ୍ରାପଡା:ଧାନ ବିଲ ହିଡରେ ଅନାବନା ଭାବେ ବଢୁଥିବା କାଇଁଚ ଏବେ ପାଇଛି ସ୍ବତନ୍ତ୍ର ପରିଚୟ । କେନ୍ଦ୍ରାପଡ଼ା ବ୍ଳକ କପାଳେଶ୍ୱର ପଞ୍ଚାୟତ ଜଜାଙ୍ଗ ଗାଁର ସନ୍ଧ୍ୟାରାଣୀ ନାୟକ ପ୍ରଥମେ ବିଲରୁ କାଇଁଚ ସଂଗ୍ରହ କରି ବୁଣାବୁଣି ଆରମ୍ଭ କରିଥିଲେ । ଏବେ ଏହାର କାରୁକାର୍ଯ୍ୟ ପଲ୍ଲୀ ଡେଇଁ ଦିଲ୍ଲୀରେ ପହଞ୍ଚିଛି । ବିନା ଯାନ୍ତ୍ରିକ ସହାୟତାରେ ହାତରେ ରଙ୍ଗବେରଙ୍ଗର ଜିନିଷ ବୁଣି ଜି-20 ସମ୍ମିଳନୀରେ ପ୍ରଦର୍ଶିତ କରିଛନ୍ତି କେନ୍ଦ୍ରାପଡ଼ା ବ୍ଳକ କପାଳେଶ୍ବର ପଞ୍ଚାୟତ ଜଜାଙ୍ଗ ଗାଁର ସନ୍ଧ୍ୟାରାଣୀ ନାୟକ ଏବଂ ତାଙ୍କ ସ୍ବାମୀ । ଯାହା ବିଶ୍ବରୁ ଅତିଥିଙ୍କ ମନକୁ ଛୁଇଁବା ସହ କେନ୍ଦ୍ରାପଡା କାଇଁଚ କାରିଗରୀକୁ ବିଶ୍ବରେ ନୂଆ ପରିଚୟ ମିଳିଛି ।

ଏମିତି ଆରମ୍ଭ କରିଥିଲେ କାମ: ପ୍ରଥମେ ସନ୍ଧ୍ୟା ଜମିରୁ କାଇଁଚ ସଂଗ୍ରହ କରି ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରିଥିଲେ । ପରିବାର ଲୋକେ ନାପସନ୍ଦ କରିବା ସତ୍ତ୍ବେ ମଧ୍ୟ ନିଜ ନିଶାକୁ ପେଶାରେ ପରିଣତ କରିଥିଲେ ସନ୍ଧ୍ୟା । ସମୟ କ୍ରମେ ଏହାର ଚାହିଦା ବୃଦ୍ଧି ପାଇବା ସହିତ ପଡୋଶୀ ମହିଳାମାନେ ମଧ୍ୟ ସନ୍ଧ୍ୟାଙ୍କ ଠାରୁ କାଇଁଚ ତିଆରି କରିବା ଶିଖିଥିଲେ। ତେବେ ବର୍ଷ ୨୦୧୪ ମସିହାରେ ଓରମାସ ସନ୍ଧ୍ୟାଙ୍କୁ MCM (Master Craftsman) ତାଲିମ ଦେବା ପରେ ସନ୍ଧ୍ୟା ଆଉ ପଛକୁ ଫେରି ଚାହିଁନଥିଲେ । ଅନ୍ୟ ମହିଳାଙ୍କୁ ତାଲିମ ଦେଇ ସନ୍ଧ୍ୟା ତାଲିମଦାତା ପାଲଟି ଯାଇଥିବା ବେଳେ ଯେଉଁ ସ୍ୱାମୀ ନିରଞ୍ଜନ ତାଙ୍କ କାମକୁ ନେଇ ଦିନେ ବହୁ କଥା କହୁଥିଲେ ସେହି ସ୍ୱାମୀ କାଇଁଚକୁ ଜୀବିକା ଅର୍ଜନର ପନ୍ଥା ଭାବେ ବାଛି ବର୍ଷ ୨୦୧୮ରେ ନିଜେ ଜଣେ MCM ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ: କାଇଞ୍ଚ କାରିଗରଙ୍କ ଆଶାର ଆଲୋକ ‘ଫାବ ଇଣ୍ଡିଆ’

ବିଶ୍ବ ଦେଖିଲା କେନ୍ଦ୍ରାପଡା କାଇଁଚ: କାଇଁଚରେ ବିଭିନ୍ନ ଡିଜାଇନର ପେନ ଷ୍ଟାଣ୍ଡ, ଫୁଲ ଦାନୀ, ଫଳ ଷ୍ଟାଣ୍ଡ ସାଙ୍ଗକୁ ଘରକରଣା ସାମଗ୍ରୀ କରି ଉଭୟ ପତିପତ୍ନୀ ବର୍ଷକୁ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ପ୍ରତି ବର୍ଷ ଭାରତର ରାଜଧାନୀ ଦିଲ୍ଲୀରେ ହେଉଥିବା ପ୍ରଦର୍ଶନୀକୁ ଅନ୍ୟୁନ ତିନିଥର ଯାତ୍ରା କରୁଥିବା ଏହି ଦମ୍ପତିଙ୍କ ପାଇଁ ଚଳିତଥରର ଯାତ୍ରା ବେଶ ମହତ୍ତ୍ୱପୂର୍ଣ୍ଣ ଥିଲା । ଓରମାସ ଓ ସଂକଳ୍ପ ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀରେ ଗତ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି-20 ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିବା ଷ୍ଟଲ ମାନଙ୍କରେ କାଇଞ୍ଚ ସାମଗ୍ରୀକୁ ପ୍ରଦର୍ଶିତ କରି ବେଶ ଲୋକପ୍ରିୟ ହୋଇଛନ୍ତି ଏହି ଦମ୍ପତି । କାଇଁଚରେ ବିଭିନ୍ନ ଡିଜାଇନର ପେନ ଷ୍ଟାଣ୍ଡ, ଫୁଲ ଦାନୀ, ଫଳ ଷ୍ଟାଣ୍ଡ ସାଙ୍ଗକୁ ଘରକରଣା ସାମଗ୍ରୀକୁ ବେଶ ପ୍ରଶଂସା କରିଛନ୍ତି ବିଶ୍ବନେତା । କେବଳ ଜି20 ନୁହେଁ ଦିଲ୍ଲୀର ଶିଶିର ସରସ ମେଳାରେ ଏହାକୁ ପ୍ରଦର୍ଶିତ କରାଯାଇଛି । ଏଥିରୁ ପାଖାପାଖି ୪ ଲକ୍ଷର ଟଙ୍କାର ସାମଗ୍ରୀ ବିକ୍ରି ହୋଇଥିବା କହିଛନ୍ତି କାଇଁଚ କାରିଗର । ଦୃଢ଼ ଅଧ୍ୟବସାୟ ଯୋଗୁଁ ଏସବୁ ସମ୍ଭବ ହୋଇଥିବା କହିଛନ୍ତି ସଂକଳ୍ପ କାର୍ଯ୍ୟକ୍ରମର ଅଧିକାରୀ ।



ଗତ ଦୁଇମାସ ତଳେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ କାଇଁଚ କାମର ତାଲିମଦାତା ସାଜିଥିବା ଏକ ଶହରୁ ଊର୍ଦ୍ଧ୍ବ ମହିଳାଙ୍କୁ ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରିଥିଲେ । ନିପଟ ମଫସଲର ଦମ୍ପତି ଦିନେ ଜିଲ୍ଲା ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ବେଳେ ଆଜି ସେମାନଙ୍କ ହାତ ତିଆରି ଜିନିଷ ବିଶ୍ବଦରବାରରେ ପ୍ରଶଂସା ସାଉଁଟିଛି । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details