କେନ୍ଦ୍ରାପଡା:୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଅବିଭକ୍ତ କଟକ ଜିଲ୍ଲାରୁ ଅଲଗା ହୋଇଥିଲା କେନ୍ଦ୍ରପଡା । କେନ୍ଦ୍ରାପଡାକୁ ମିଶାଇ ରାଜ୍ୟରେ ଜିଲ୍ଲାସଂଖ୍ୟା ୧୩ରୁ ବଢି ୩୦ ହୋଇଥିଲା । ନୂତନ ଜିଲ୍ଲା ଘୋଷଣା ହେବାର ଦିନକ ପରେ ଅର୍ଥାତ୍ ଏପ୍ରିଲ ୩ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଶିଳାନ୍ୟାସ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । କେନ୍ଦ୍ରାପଡ଼ା ଜିଲ୍ଲା ଗଠନ ପାଇଁ ବହୁ ବ୍ୟକ୍ତିବିଶେଷ ଆନ୍ଦୋଳନ ଓ କାରାବରଣ କରିଥିଲେ । ସମସ୍ତଙ୍କର ଉଦ୍ଦେଶ୍ୟ ଥିଲା ନୂତନ ଜିଲ୍ଲା ଗଠନ ହେଲେ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ସହ କେନ୍ଦ୍ରାପଡ଼ାର ଜନ ସାଧାରଣଙ୍କୁ ଆଉ କଟକ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଇତିମଧ୍ୟରେ ଜିଲ୍ଲା ଗଠନକୁ ୨୯ ବର୍ଷ ପୁରି ୩୦ ବର୍ଷ ହୋଇଥିଲେ ସୁଦ୍ଧା କେବଳ ରାସ୍ତାଘାଟକୁ ଛାଡିଦେଲେ ଅନ୍ୟ କୌଣସି କାର୍ଯ୍ୟରେ ଜିଲ୍ଲାର ଆଖିଦୃଶିଆ ବିକାଶ ହୋଇନଥିବା ପରିଲକ୍ଷିତ ହୋଇଛି ।
କେନ୍ଦ୍ରାପଡା ଜିଲ୍ଲାରେ ମୋଟ ଲୋକସଂଖ୍ୟା ୧୭ଲକ୍ଷରୁ ଉର୍ଦ୍ଧ୍ବ । ହେଲେ ସେଥିମଧ୍ୟରୁ ପ୍ରାୟ ୧୦ଲକ୍ଷ ଲୋକ ବାହାର ଜିଲ୍ଲା, ରାଜ୍ୟ ଓ ଦେଶରେ ଦାଦନ ଖଟୁଛନ୍ତି । ଯାହା କୋଭିଡ ସମୟରେ ପ୍ରବାସୀଙ୍କ ସଂଖ୍ୟା ବୟାନ କରିଛି । ଜିଲ୍ଲାରେ ଚାଷଜମିକୁ ଆଜି ମଧ୍ୟ ଜଳ ପହଞ୍ଚିବା ସ୍ୱପ୍ନ ହୋଇଛି । ଏକଦା ନଳିତା ଚାଷ ପାଇଁ ଦେଶ ବିଦେଶରେ ନାଁ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ଦୀପାବଳିରେ ପୟା ଶ୍ରାଦ୍ଧ ପାଇଁ ପଡୋଶୀ ଜିଲ୍ଲାରୁ କାଉଁରିଆ ଆମଦାନୀ କରୁଛି । ଏହାର କାରଣ କୃଷି ଓ କୃଷି କ୍ଷେତ୍ର ପ୍ରତି ପ୍ରଶାସନ ଓ ପ୍ରଶାସକଙ୍କ ଉଦାସୀନତା ମନୋଭାବ । କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାରେ ମୃତ୍ତିକା ପରୀକ୍ଷାଗାର ରହିଥିବାବେଳେ ଆବଶ୍ୟକୀୟ କର୍ମଚାରୀ ଅଭାବ ଚାଷୀର ଅଣ୍ଟାକୁ ଭାଙ୍ଗିଦେଇଛି ।
ସେହିପରି ଶିକ୍ଷା, ପର୍ଯ୍ୟଟନ ଓ ଆର୍ଥିକ ଉନ୍ନତି କ୍ଷେତ୍ରରେ ଜିଲ୍ଲା ତଳ ଆଡୁ ପ୍ରଥମ ବୋଲି କୁହାଯାଇପାରେ । ଜିଲ୍ଲାରେ ସାକ୍ଷରତା ହାର ରାଜ୍ୟରେ ପ୍ରଥମ ୧୦ଟି ଜିଲ୍ଲା ମଧ୍ୟରେ ରହିଥିବା ବେଳେ ସରକାରୀ ବୈମାତୃକ ମନୋଭାବ କାରଣ ହେଉ ଅବା ନେତାମନ୍ତ୍ରୀଙ୍କ ଚାପରେ ଛନ୍ଦି ହୋଇ ଜିଲ୍ଲାର ଅବସ୍ଥା ଆଜି ବେହାଲ । କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ୫୦ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ପ୍ରାଥମିକ ଶିକ୍ଷା ଅବହେଳିତ । ଶିକ୍ଷକ ଅଭାବ ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ଏବେ ସବୁଠୁ ବଡ଼ ସମସ୍ୟା ହୋଇଛି । ଏହାରି ଭିତରେ ପୁଣି ଜିଲ୍ଲାର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନ କରିବା ଚିନ୍ତାଜନକ ବିଷୟ ପାଲଟିଛି । ଏଥିସହ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବି ହେଉଥିଲେ କିଛି ସୁଫଳ ମିଳୁନି । ସାଧାରଣ ରୋଗର ଚିକିତ୍ସା ପାଇଁ କଟକ ଯିବାକୁ ପଡୁଛି ଲୋକଙ୍କୁ । ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କେନ୍ଦ୍ରାପଡ଼ା ଜିଲ୍ଲାରେ ନଥିବା ଦର୍ଶାଯାଇଛି । ଏପରିକି ଜଣେ ଭଲ ଡାକ୍ତର ଜିଲ୍ଲାବାସୀଙ୍କ ଭାଗ୍ୟରେ ନ ଜୁଟିବା ଜିଲ୍ଲାବାସୀଙ୍କ ପ୍ରତି ସରକାରୀ ପ୍ରତାରଣାକୁ ସିଦ୍ଧ କରୁଛି ।