କେନ୍ଦ୍ରାପଡା:ଚାଲିଗଲା ବାତ୍ୟା ୟସ । କିନ୍ତୁ ଛାଡି ଦେଇଗଲା ଅସହ୍ୟ ଦୁଃଖ । ପ୍ରଳୟଙ୍କାରୀ ପ୍ରଭାବରେ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ । ପବନ ମାଡରେ ଗଛ ଭାଙ୍ଗିବା ସହ ଉଡିଛି ଚାଳ ଛପର । ବିଦ୍ୟୁତ ସଂଯୋଗ ବ୍ୟହତ ଯୋଗୁଁ 4 ଗାଁ ଏବେ ବି ଅନ୍ଧାରରେ ।
କ୍ଷୟକ୍ଷତି ଆକଳନ କଲେ ଜିଲ୍ଲାପାଳ, ଅନ୍ଧାରରେ 4 ଗାଁ କେନ୍ଦ୍ରାପଡ଼ାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲଟି ଅଞ୍ଚଳର ୧ଲକ୍ଷ ୫ହଜାର ୮୦୨ ଲୋକଙ୍କୁ ୧୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲଗୁଡ଼ିକରେ ରଖିଯାଇଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ , ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଗାଇଗୋରୁଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦିଆଯାଉଛି । ରାଜନଗର ବ୍ଲକ ଅଞ୍ଚଳର ୨୯ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରାଜନଗର ବ୍ଲକର ୩୧ହଜାର ୩୦୩ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୧୭୧ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲଗୁଡ଼ିକରେ ରଖାଯାଇ ରନ୍ଧା ଖାଦ୍ୟ , ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଦିଆଯାଇଛି ।
ସେହିପରି ମହାକାଳପଡ଼ା ବ୍ଲକର ୨୨୦ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲଗୁଡ଼ିକରେ ୨୭ହଜାର ୫୦ , ରାଜକନିକା ବ୍ଲକର ୮୩ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲଗୃହରେ ୭ହଜାର ୩୭୧ ଜଣଙ୍କୁ ରଖାଯାଇ ରନ୍ଧା ଖାଦ୍ୟ , ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ଅନ୍ୟ ୬ଟି ବ୍ଲକ ଓ ଦୁଇଟି ମ୍ୟୁନସିପାଲିଟିରେ ଚାଳ ଛପର ଘରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ଷା ଓ ପବନ କମିଯିବାରୁ ଲୋକମାନେ ଘରମୁହାଁ ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାକୁ ଆସିଥିବା ୮ଟି ଓଡ୍ରାଫ୍ ଟିମ୍ , ୫ଟି ଏନଡିଆରଏଫ୍ ଟିମ୍ , ୪ଟି ଓଏଫଡିସି ଟିମ୍ ଓ ଅତିରିକ୍ତ ଅଗ୍ନିଶମ ବିଭାଗ ଟିମ୍ ରାସ୍ତା ଉପରେ ପଡିଥିବା ଗଛ ଗୁଡ଼ିକ କାଟି ଯୁଦ୍ଧକାଳୀନ ଭିତ୍ତିରେ ଗମନାଗମନ ସୁବିଧା କରିଛନ୍ତି । ବିଭିନ୍ନ ଅଞ୍ଚଳରେ ଅସଜଡା ଘରକୁ ସଜାଡିବା ପାଇଁ ଅପରାହ୍ନରେ ଆଶ୍ରୟସ୍ଥଳୀମାନଙ୍କରେ ଥିବା ଲୋକମାନେ ଘର ମୁହାଁ ହୋଇଛନ୍ତି । ତୁରନ୍ତ ତହସିଲଦାରମାନେ ରାଜସ୍ବ ନିରୀକ୍ଷକଙ୍କ ମାଧ୍ୟମରେ ଭାଙ୍ଗିରୁଜି ଯାଇଥିବା ଚାଳଛପର ଘର ପରିବାରକୁ ପଲିଥିନ୍ ଯୋଗାଇ ଦେବା ଓ ବ୍ଲକ ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ ରିଲିଫ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ