କେନ୍ଦ୍ରାପଡା: ଏକ ସପ୍ତାହ ଛୁଟି ପରେ ଆଜିଠାରୁ ରାଜ୍ୟରେ ଖୋଲିଲା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଆଜି ସକାଳ ସାଢ଼େ 6ଟାରୁ ସ୍କୁଲ ଯାଇ 11ଟା ସମୟରେ ଘରକୁ ଫେରିଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 10ଟା ପର୍ଯ୍ୟନ୍ତ ପାଠପଢା ସରିବା ପରେ ପିଲାଏ ଘରକୁ ଫେରିଛନ୍ତି। ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବଢୁଥିବାରୁ ରାଜ୍ୟ ସରକାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ତାପମାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ସେମାନଙ୍କ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ବୋଲି କୁହାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଛୁଟି ଘୋଷଣା ମଧ୍ୟ କରିପାରିବେ ଜିଲ୍ଲାପାଳ ।
ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ଯେ, ''ଜିଲ୍ଲାରେ ଏବେ ଟାଣ ଖରା ସହ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାଢ଼େ 6 ରୁ11 ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ । ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ମହଜୁଦ ରଖାଯିବା ସହ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରଚୁର ପରିମାଣରେ ଓଆରଏସ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟରେ କୌଣସି ଛାତ୍ର କିମ୍ବା ଛାତ୍ରୀ ସାମାନ୍ୟ ତମ ଅସୁସ୍ଥ ଅନୁଭବ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ଆଡଭାଇଜରି ଜାରି କରାଯାଇଛି । ''