କେନ୍ଦ୍ରାପଡା: ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ଦିବ୍ୟାଙ୍ଗ ମାନେ ସମାଜରେ ସସମ୍ମାନେ ବଞ୍ଚିବେ ଅନ୍ୟ ମାନଙ୍କ ଭଳି ସମସ୍ତ ସୁବିଧା ପାଇବେ ଏଥିପାଇଁ ନାନା ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ସବୁକିଛି ଯେମିତି ମୂଲ୍ୟହୀନ ହୋଇପଡିଛି ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ରହୁଥିବା ଜଗନ ଦାସଙ୍କ ପାଇଁ । ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି ।
ଜନ୍ମରୁ ଡାହାଣ ହାତ ନାହିଁ । ଆଖିକୁ ବି ଭଲରେ ଦେଖାଯାଉନି । ଇଚ୍ଛା ଥିଲା ଅନ୍ୟ ମାନଙ୍କ ପରି ପରିବାର ଚଳାଇ ବାପାଙ୍କୁ ଖୁସି କରିବାକୁ। କିନ୍ତୁ ସବୁ ଆଶା ସ୍ବପ୍ନରେ ସ୍ବପ୍ନରେ ଯେମିତି ମରିଯାଇଛି । ଆମେ କୁହୁଛୁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକରେ ରହୁଥିବା ଜଗନ ଦାସଙ୍କ କଥା । ସେ ଜନ୍ମରୁ ଦିବ୍ୟାଙ୍ଗ । ବାପା’ମା ମୂଲଲାଗି ଯାହା ଆଣନ୍ତି ସେଥିରେ ଚଳନ୍ତି 3 ପ୍ରାଣୀ କୁଟୁମ୍ବ । ଆଉ ସରକାରୀ ସାହାଯ୍ୟ କହିଲେ ସ୍ବଳ୍ପ ଭତ୍ତା ଆଉ ମାସିକ 15 କିଲୋ ଚାଉଳ । ଏପରି ସ୍ଥିତିରେ ଜୀବନ ହୋଇପଡିଛି ଦୁର୍ବିସହ ।