କେନ୍ଦ୍ରାପଡା: ବଢୁଛି ବିଜେଡି ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ଅଡୁଆ । କର୍ମକ୍ଷେତ୍ରରେ ଯୁବତୀ କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ବିବାଦରେ ଛନ୍ଦି ହେଲେଣି ପ୍ରମୋଦ । ଏପଟେ ବିଜେଡି ସହ ତାଙ୍କ ସମ୍ପର୍କ ନେଇ କେନ୍ଦ୍ରାପଡ଼ା ରାଜନୀତି ବି ବେଶ ସରଗରମ ।
କେନ୍ଦ୍ରାପଡା କୋ-ପରେଟିଭ ବ୍ୟାଙ୍କ କେଳେଙ୍କାରୀ: ଗରମ ରାଜନୀତି
ବିଜେଡି ସୁପ୍ରିମୋ ତୁରନ୍ତ ନୈତିକତା ଦୃଷ୍ଟିରୁ ପ୍ରମୋଦଙ୍କୁ ସମ୍ପାଦକ ପଦବୀରୁ ବହିଷ୍କୃତ କରନ୍ତୁ । ଏଥିସହ କୋ-ଅପରେଟିଭ ସୋସାଇଟିର ସଭାପତି ପଦବୀରୁ ତାଙ୍କୁ ହଟାଯାଉ ବୋଲି ଦାବି କରିଛନ୍ତି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଅନ୍ନପୂର୍ଣ୍ଣା ଦାସ ।
‘‘ବିଜେଡି ସରକାରରେ ମହିଳା ଅସୁରକ୍ଷିତ ଓ କୁଜିନେତା ସୁରକ୍ଷିତ । ବିଜେଡିର "ମା'କୁ ସମ୍ମାନ, ଗାଁକୁ କାମ"କେବଳ ସ୍ଲୋଗାନରେ ରହିଯାଇଛି । ପିଡିତା ଯୁବତୀ ସହିତ ମହିଳା କଂଗ୍ରେସ ସଦାସର୍ବଦା ରହିବ ଓ ନ୍ୟାୟ ନ ମିଳିଲେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ । ଏପଟେ ଆଜି(ଗୁରୁବାର ) ଭାରତୀୟ ମହିଳା ମୋର୍ଚ୍ଚାର ଛ'ଜଣିଆ ଜିଲ୍ଲା ଟିମ ଏସପି ନୀତିଶେଖରଙ୍କୁ ଭେଟି ପ୍ରମୋଦ ସାହୁଙ୍କୁ ଶୀଘ୍ର ଗିରଫ ଦାବି ସହ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଦାବି ଦୋହରାଇଛନ୍ତି ।
ପୋଲିସର ଖାମଖିଆଲିକୁ ନେଇ HRPC ଆଡିସନାଲ DGଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡିତା । ଯଦି ନ୍ୟାୟ ନ ମିଳେ ସୁଇସାଇଡ କରିବି ବୋଲି ଚେତାବନୀ ଦେଇଛନ୍ତି ପୀଡିତ ଯୁବତୀ । ତେବେ ଏହା ଟେକନିକାଲ ଅଭିଯୋଗ, ଏଣୁ ବିଳମ୍ବ ହେଉଛି ବୋଲି କହି ହାତ ଟେକିଦେଇଛନ୍ତି ମାମଲାର ତଦନ୍ତ କରୁଥିବା ଏସପି ।
ସେପଟେ "ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି"ନ୍ୟାୟରେ ସୋସାଇଟି ସଦସ୍ୟ । ବୁଧବାର ସନ୍ଧ୍ୟାରେ ସଂଖ୍ୟାଧିକ ସଦସ୍ୟ ଏକ ରାଲିରେ ଯାଇ ଏସପିଙ୍କୁ ଭେଟି ସୋସାଇଟିକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୋସାଇଟି ସମ୍ପାଦକ ପ୍ରହ୍ଲାଦ ସାହୁ ସଫେଇ ଦେଇଛନ୍ତି ୟେ, ‘ପିଡିତା ଜଣଙ୍କୁ ବଦଳି କରାଯାଇଥିବାରୁ ସେ ଏଭଳି ଅଭିଯୋଗ କରୁଛନ୍ତି । ଯଦି ପିଡିତାଙ୍କୁ ଏଭଳି ଯୌନ ନିର୍ଯ୍ୟାତନା କରାଯାଇଛି ତେବେ ସେ ସୋସାଇଟି ଦ୍ବାରା ଗଠିତ ହୋଇଥିବା କର୍ମଜୀବୀ ମହିଳା କମିଟି ଆଗରେ କାହିଁକି କହୁନଥିଲେ ? ତେବେ ଆଗରୁ ଉକ୍ତ ଅଫିସରେ ଦୁଇ ତିନୋଟି ଏଭଳି ଅଭିଯୋଗ ହୋଇଥିଲେ ମଧ୍ୟ ତାହା ଏହି କମିଟି ଦ୍ବାରା ସମାଧାନ ହୋଇଛି ବୋଲି କହୁ କହୁ କହିଛନ୍ତି ପ୍ରହ୍ଲାଦ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ