ଓଡିଶା

odisha

ETV Bharat / state

କେନ୍ଦ୍ରାପଡା ବିଧାନସଭା: ଟିକେଟ ଆଶାୟୀଙ୍କ ପାଇଁ ବିଦ୍ରୋହୀ କଣ୍ଟା

ପୂର୍ବ ନିର୍ବାଚନ ଅପେକ୍ଷା କେନ୍ଦ୍ରାପଡା ବିଧାନସଭା ଆସନରେ ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବା ନେଇ ସ୍ପଷ୍ଟ ହୋଇ ବାରି ହୋଇପଡୁଛି। ଟିକେଟ ନ ମିଳିଲେ ଆଶାୟୀ ପ୍ରାର୍ଥୀଙ୍କ ଦଳ ବଦଳ କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ମାଳମାଳ ଟିକେଟ ଆଶାୟୀଙ୍କୁ ଉଭୟ ବିଜେପି ଓ ବିଜେଡି କିପରି ସମ୍ଭାଳୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

By

Published : Mar 28, 2019, 10:00 AM IST

ଡିଜାଇନ ଫଟୋ

କେନ୍ଦ୍ରାପଡା: ନିର୍ବାଚନର ଦିନ ପାଖେଇ ଆସୁଥିବା ବେଳେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ମଙ୍ଗୁଆଳ । ଯାହାର ପ୍ରଭାବ ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନରେ । ତେବେ ନିର୍ବାଚନୀ ତାତି ବର୍ତ୍ତମାନ ଠାରୁ ସେଠାରେ ଅନୁଭୂତ ହେଲାଣୀ । ପ୍ରାର୍ଥୀ ଘୋଷାଣା ନ ହେଉଁଣୁ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ ପ୍ରାୟ ସବୁ ଦଳର ନିଦ ହଜାଇ ଦେଇଛି ।


ରାଜ୍ୟର ଏକ ପ୍ରମୁଖ ଅଣକଂଗ୍ରେସ ଗଡ ଭାବେ ଜଣାଶୁଣା କେନ୍ଦ୍ରାପଡା ।1951 ମସିହାରେ ଏହି ଆସନ ଗଠିତ ହୋଇଥିଲା । 2009ରେ ଏହାର ସୀମା ନିର୍ଦ୍ଧାରଣ ହେବାପରେ ଏହି ବିଧାନସଭା ଆସନର ପୁନର୍ଗଠନ କରାଯାଇଥିଲା । କେନ୍ଦ୍ରାପଡା ବ୍ଲକ, ପଟ୍ଟାମୁଣ୍ଡାଇ ବ୍ଲକର 12ଟି ପଞ୍ଚାୟତ ଏବଂ କେନ୍ଦ୍ରାପଡା ପୌରପାଳିକାର 21ଟି ୱାର୍ଡକୁ ନେଇ କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନ ଗଠିତ । ଅନୁସୂଚିତ ଜାତିର ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ଏହି ଆସନ । 2014 ନିର୍ବାଚନରେ ମୋଟ ମତଦାତାଙ୍କ ସଂଖ୍ୟା ୨,୬୮,୦୭୩ ରହିଥିଲା । ସେମାନଙ୍କ ମଧ୍ୟରୁ ୧,୯୩,୭୬୪ ଜଣ ମତଦାତା ମତଦାନ କରିଥିଲେ । ଚଳିତ ଥରର ନିର୍ବାଚନରେ 2,12, 108 ଜଣ ଭୋଟର ମତଦାନ କରିବେ ।

2014 ନିର୍ବାଚନରେ ବାଜି ମାରି ନେଇଥିଲେ ବିଜେଡି ପ୍ରାର୍ଥୀ କିଶୋର ତରାଇ । ସେ କଂଗ୍ରେସର ଗଣେଶ୍ବର ବେହେରାଙ୍କୁ ୫୪୩୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । କିଶୋରଙ୍କୁ ୬୫,୦୩୭ ଏବଂ ଗଣେଶ୍ବରଙ୍କୁ ୫୯,୬୦6 ଖଣ୍ଡ ଭୋଟ ମିଳିଥିଲା । ସେହିପରି 2009 ନିର୍ବାଚନରେ ପୁନର୍ବାର ଦଳୀୟ ପ୍ରାର୍ଥୀ ହୋଇଥିଲେ ଗଣେଶ୍ବର। ମାତ୍ର ତାଙ୍କୁ ସେତେବେଳେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଡ. ସିପ୍ରା ମଲ୍ଲିକ ୧୫,୯୩୧ ଖଣ୍ଡ ଭୋଟରେ ପରାଜିତ କରିଥିଲେ ।

ଏହି ନିର୍ବାଚନରେ ସିପ୍ରାଙ୍କୁ ୬୨,୪୩୬ ଏବଂ ଗଣେଶ୍ବରଙ୍କୁ ୪୬,୫୦୫ ଖଣ୍ଡ ଭୋଟ ମିଳିଥିଲା । ବିଗତ ଦୁଇଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲା କଂଗ୍ରେସ । ଦୁଇ ଥର ଯାକ ବିଜେଡି ପ୍ରାର୍ଥୀ ଏଠାରେ ବିଜୟବାନା ଉଡାଇବାରେ ସଫଳ ହୋଇଥିଲେ ।

ଏଥରର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ବିଧାୟକ ଭାବେ ନିର୍ବାଚିତ ହେବା ପରେ କିଶୋର ନିଜ ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରିବା ଦିଗରେ ସଫଳ ହୋଇନାହାନ୍ତି । ଦେଶର ଅନ୍ୟତମ ସର୍ବପୁରାତନ ପୌରପାଳିକା କେନ୍ଦ୍ରାପଡାର ଦୂରାବସ୍ଥା, ପାନୀୟଜଳ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦ୍ରାପଡା । ଗତ ପଞ୍ଚାୟତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀ ଅଧିନସ୍ଥ 8ଟି ଜିଲ୍ଲା ପରିଷଦ ଜୋନରୁ 4ଟି ହାତେଇଥିଲା ବିଜେପି । ଏଥିସହିତ ଏହି ନିର୍ବାଚନ ଚାଲିଥିବା ବେଳେ ବିବାଦୀୟ ଜାତିଗତ ପ୍ରମାଣପତ୍ରକୁ ବିବାଦୀୟ ହୋଇପଡିଥିଲେ ସେ ।

ଯାହା ବର୍ତ୍ତମାନ ତାଙ୍କ ପାଇଁ ପୁନର୍ବାର ଦଳୀୟ ଟିକେଟ ପାଇବାରେ କଣ୍ଟା ସାଜିଛି । ଅନ୍ୟପଟେ ଏହାର ଫାଇଦା ଉଠାଇ ଦଳର ବିଜେଡିର ଅନ୍ୟ ଆଶାୟୀ ଟିକଟ ପାଇବାକୁ ଲବି ଚଳାଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟିକା ଡ.ସିପ୍ରା ମଲ୍ଲିକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ଦାସ, ପ୍ରଶାସକରୁ ରାଜନେତା ପାଲଟିଥିବା ମୁରଲୀଧର ସେଠୀ ଏବଂ ପ୍ରିୟଙ୍କା ମଲ୍ଲିକ ।

କଂଗ୍ରେସ ଏଥର ମଧ୍ୟ ନିଜର ପ୍ରାର୍ଥୀ ଅପରିବର୍ତ୍ତିତ ରଖିଛି । ପୁଣିଥରେ ଦଳୀୟ ଟିକେଟରେ ନିର୍ବାଚନ ଲଢିବେ ଗଣେଶ୍ବର ବେହେରା । ରାଜ୍ୟରେ ସରକାର ଗଢିବା ପାଇଁ ଦିନ ଗଣିବା ଆରମ୍ଭ କରି ଦେଇଥିବା କଂଗ୍ରେସ ଏଥର କେନ୍ଦ୍ରାପଡା ଗଡ ଦଖଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । କାରଣ ବିଗତ ଦୁଇଟି ନିର୍ବାଚନ ଯଥା 2009 ଏବଂ 2014ରେ ଦଳ ପରାସ୍ତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରପଡା

ଗତ ପଞ୍ଚାୟତ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇଥିବା ବିଜେପିରେ ମଧ୍ୟ ଆଶାୟୀଙ୍କ ସଂଖ୍ୟା କମ ନୁହେଁ । ଚଳିତଥର ଦଳୀୟ ଟିକେଟ ହାତେଇବା ଦୌଡରେ ରହିଛନ୍ତି 2014ରେ ବିଧାୟକ ପ୍ରାର୍ଥୀ ହୋଇଥିବା ସୁନାକର ବେହେରା ଏବଂ ଉର୍ମିଳା ସେଠୀ । ନିକଟ ଅତୀତରେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହୋଇଛନ୍ତି । ଦଳ ମଧ୍ୟରେ ଚାଲିଥିବା ଅନ୍ତକନ୍ଦଳ ଯୋଗୁଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ମୋଦି ସରକାର ଅମଳରେ କରାଯାଇଥିବା ବିକାଶକୁ ଏଜେଣ୍ଡା ଭାବେ ଗ୍ରହଣ କରି ଲୋକଙ୍କ ପାଖକୁ ଯିବ ଦଳ ।

ଗତ ନିର୍ବାଚନରେ ସମଗ୍ର ଦେଶବ୍ୟାପୀ ମୋଦି ହାୱା ବୋହୁଥିଲେ ମଧ୍ୟ ବିଜେପି ସୁନାକର10 ହଜାରରୁ କମ ଭୋଟ ପାଇଥିଲେ । ଦଳୀୟ ପ୍ରାର୍ଥୀ ଚୟନ 2019 ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ରାଜନୈତକ ବିଶେଷଜ୍ଞଙ୍କ ମତ । ଅନ୍ୟପଟେ ଦଳର ଅନ୍ୟତମ ହେଭିୱେଟ ବିଜୟ ମହାପାତ୍ର ବିଜେପି ଛାଡି ସାରିଛନ୍ତି । ନିର୍ବାଚନରେ ତାଙ୍କର ଭୂମିକା କଣ ରହିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । କେନ୍ଦ୍ରାପଡା ଗଡ ହାତେଇବା ପାଇଁ ଦଳୀୟ ରଣନୀତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

1951 ମସିହାରୁ ଆଜି ପର୍ଯ୍ୟନ୍ତ ଏଠାରେ 16 ଥର ନିର୍ବାଚନ ହୋଇଛି । 1952ରେ ପ୍ରଥମେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଫଳାଫଳକୁ ଦେଖିଲେ କଂଗ୍ରେସ ପ୍ରାର୍ଥୀ 6 ଏବଂ ଅଣକଂଗ୍ରେସ ପ୍ରାର୍ଥୀ10 ଥର ବିଜୟୀ ହୋଇଛନ୍ତି । ଏହି ଆସନରୁ ବିଜୟୀ ହୋଇ ଭାଗବତ ପ୍ରସାଦ ମହାନ୍ତି ଓ ବେଦ ପ୍ରକାଶ ଅଗ୍ରୱାଲ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି ।

ପୂର୍ବ ନିର୍ବାଚନ ଅପେକ୍ଷା ଏଠାରେ ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବା ନେଇ ସ୍ପଷ୍ଟ ହୋଇ ବାରି ହୋଇପଡୁଛି । ଟିକେଟ ନ ମିଳିଲେ ଆଶାୟୀ ପ୍ରାର୍ଥୀଙ୍କ ଦଳ ବଦଳ କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ମାଳମାଳ ଟିକେଟ ଆଶାୟୀଙ୍କୁ ଉଭୟ ବିଜେପି ଓ ବିଜେଡି କିପରି ସମ୍ଭାଳୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଈଟିଭି ଭାରତ

ABOUT THE AUTHOR

...view details