କେନ୍ଦ୍ରାପଡା: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(OSSC)ର ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ଓ ଗିରଫ ପରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଗତକାଲି(ମଙ୍ଗଳବାର) ଅପରାହ୍ନରେ ରାଜ୍ୟ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡାରେ ପହଞ୍ଚି ଜିଲ୍ଲା ଛାତ୍ର କଂଗ୍ରେସ ନେତାମାନଙ୍କ ସହ ଷ୍ଟାଫ୍ ସିଲେକ୍ସନ୍ ଅଫିସ ଦୁର୍ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଛାତ୍ର କଂଗ୍ରେସ ନେତାମାନେ ଏକ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ନାରାବାଜି ଦେଇଥିଲେ । ଛାତ୍ର ନେତାମାନେ ନାରାବାଜି ଦେଇ ଜିଲ୍ଲା କାର୍ଯ୍ୟାଳୟରେ ଧସେଇ ପଶିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ କାର୍ଯ୍ୟାଳୟର ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ହେଲେ ବାସ୍ତବରେ ଯେଉଁ ଅଧିକାରୀମାନେ ଦୁର୍ନୀତିରେ ବୁଡି ରହି ଚାକିରି କରାଇଦେବା ନାଁରେ ଦୁର୍ନୀତି କରୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।