କେନ୍ଦ୍ରାପଡ଼ା: ବିଦେଶରେ ଖେଳି ଦେଶ ପାଇଁ ଗୌରବ ଆଣିଲେ କେନ୍ଦ୍ରାପଡା ଜିଲ୍ଲାର ପୁଅ ରଜାକ। ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଆଉ ଆତ୍ମ ବିଶ୍ୱାସ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କେନ୍ଦ୍ରାପଡା ସହରର ଜଣେ ଯୁବ କ୍ରୀଡା ପ୍ରତିଭା। ବାପା ଜଣେ କବାଡ଼ିଆ ଦୋକାନରେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଦୃଢ଼ ମନୋବଳ ଯୋଗୁ ଦେଶ ପାଇଁ ଖେଳି ଗୌରବ ଅର୍ଜନ କରିଛନ୍ତି ସେକ ସାବୀରଙ୍କ ପୁଅ ମହମ୍ମଦ ରଜାକ । ତେବେ ରଜାକ F.I.V.A ଦ୍ୱାରା ପରିଚାଳିତ ୨୧ ବର୍ଷରୁ କମ୍ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନସିପରେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ବିତ କରାଇଛନ୍ତି।
ତେବେ ତାଙ୍କର ଏହି କୃତିତ୍ବ ପାଇଁ ଜିଲ୍ଲାବାସୀ ଗର୍ବ ଅନୁଭବ କରିଥିବାବେଳେ ତାଙ୍କର ସଂଘର୍ଷମୟ ଜୀବନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ରଜାକଙ୍କ ବାପା ଏକ କବାଡ଼ିଆ ଦୋକାନରେ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ଦୈନିକ ମଜୁରୀରେ ପରିବାରର ଗୁଜରାଣ ମେଣ୍ଟାଇବା ମଧ୍ୟ କଷ୍ଟକର ହୋଇପଡିଛି। ତେବେ ରଜାକ ନିଜ ଅଧ୍ୟବସାୟ ଓ ଭଲିବଲ ଖେଳ ପ୍ରତି ଥିବା ଆଗ୍ରହ ଯୋଗୁ ସେ ପାରଦର୍ଶିତା ହାସଲ କରିଥିବା ମତ ପ୍ରକାଶ ପାଇଛି। ତେବେ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଓ କୋଚ୍ ତାଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା ସହ ପ୍ରେରଣା ଯୋଗାଇଥିବା ଜଣାପଡିଛି।
ଯଦି ଇଚ୍ଛାଶକ୍ତି ଥାଏ ତେବେ ଦାରିଦ୍ର୍ୟତା କାହାରି ବାଟକୁ ଅଟକାଇ ପାରେନାହିଁ ବୋଲି ଅନୁଭବ କରିଥିଲେ ରଜାକଙ୍କ କୋଚ୍ ନିଜାମ । ସେ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରୁ ୨୦୧୮ ମସିହାରେ କେନ୍ଦ୍ରାପଡା ଟାଉନ ହାଇସ୍କୁଲଠାରେ ଆୟୋଜିତ ହେଉଥିବା ଗ୍ରୀଷ୍ମକାଳୀନ ଶିବିରରେ ଭର୍ତ୍ତି କରିଥିବାବେଳେ ନିଜର ଖେଳୁଆଡ଼ ମନୋଭାବ ଓ ଖେଳରେ ଅଦ୍ଭୁତ କୌଶଳ ଦେଖାଇ ରଜାକ ଉପରିସ୍ଥ କୋଚମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହା ମଧ୍ୟ ପଢନ୍ତୁ...ମାଉଣ୍ଟ କିଲିମାଞ୍ଜାରୋ ଶିଖରରେ ପହଞ୍ଚିଲେ ଓଡିଆ ପୁଅ, ସାଥୀରେ ନେଇଥିଲେ ଜଗା ଫଟୋ