କେନ୍ଦ୍ରାପଡା: ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଆସନରେ କିଏ ବିଜୟୀ ହେବା ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରେ ଯବନିକା ପଡିଛି । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମର୍ଥିତ ପଳସିଂହା ପଞ୍ଚାୟତର ସମିତି ସଭ୍ୟ ଶିବପ୍ରସାଦ ଭୋଳ ବିଜୟୀ ହୋଇଛନ୍ତି । ତେବେ ନାମାଙ୍କନ ପତ୍ର ଦାଖଲ ପରେ ବିଜେଡିରୁ ନିଲମ୍ବନ ହୋଇଥିବା ହେମନ୍ତ ବିଶ୍ୱାଳ ବିଜୟୀ ଶିବପ୍ରସାଦଙ୍କୁ କଡା ଟକ୍କର ଦେଇଥିଲେ ।
୨୭ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଅଧ୍ୟକ୍ଷ ତଥା ଗାଙ୍ଗପଡା ସମିତି ସଭ୍ୟ ଅନାମବନ୍ଧୁ ଧଳଙ୍କ ଗତ ସେପ୍ଟେମ୍ବର ୧୭ ତାରିଖରେ ମୃତ୍ୟୁ ପରେ ଖାଲି ପଡିଥିଲା ଏହି ଆସନ । ଔପଚାରିକତା ପାଇଁ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କୁ ଏହି ଆସନରେ ଅବସ୍ଥାପିତ କରାଯାଇଥିବା ବେଳେ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ସକାଳ ୧୦ଟାରେ ନାମାଙ୍କନ ପତ୍ର ଦାଖଲ ସହ ମଧ୍ୟାହ୍ନ ୧୨ଟାରୁ ମତଦାନ କରାଯାଇଥିଲା । ୨୬ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ସମିତି ସଭ୍ୟ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ୫ ଜଣ ସମିତି ସଭ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିନପାରି ଭୋଟଦାନରୁ ବଞ୍ଚିତ ହୋଇଥିଲେ । ତେବେ କେନ୍ଦ୍ରାପଡ଼ା ବିଧାୟକ ଓ ତାଙ୍କ ସମର୍ଥକ ମାନେ ଏହି ୫ ଜଣ ସମିତି ସଭ୍ୟଙ୍କୁ ଜାଣିଶୁଣି ଭୋଟଦାନରୁ ବିରତ କରାଇଥିବା ଅଭିଯୋଗ କରିଛନ୍ତି ପରାଜିତ ତଥା ବିଜେଡିରୁ ନିଲମ୍ବିତ ପ୍ରାର୍ଥୀ ହେମନ୍ତ ବିଶ୍ୱାଳ ।